ଭୁବନେଶ୍ୱର: ଓଡ଼ିଶାରେ ଅପରାଧ ନିୟନ୍ତ୍ରଣରୁ ସାଇବର ସୁରକ୍ଷା, ଡ୍ରଗ୍ ମାଫିଆ ଦମନରୁ ଉପକୂଳ ସୁରକ୍ଷା ପର୍ଯ୍ୟନ୍ତ ପୋଲିସ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ଜନମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଓଡ଼ିଶା ପୋଲିସକୁ ୧୦ ସୂତ୍ରୀୟ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଡିଜିପି-ଆଇଜିପି ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, “ପୋଲିସକୁ ଦେଖି ଅପରାଧୀ ଭୟ କରିବେ, ସାଧାରଣ ନିର୍ଦ୍ଦୋଷ ଲୋକ ନୁହେଁ।” ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୀଡ଼ିତ ଭାବେ ବିବେଚନା କରି ସହାନୁଭୂତି ଓ ସମ୍ବେଦନଶୀଳତା ସହ ବ୍ୟବହାର କରିବାକୁ ସେ ପୋଲିସକୁ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ୧୦ ପ୍ରାଥମିକତା
- ଅପରାଧ ବିରୋଧରେ ଜିରୋ ଟଲରେନ୍ସ
- ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି
- ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା
- ଉପକୂଳ ଓ ସାମୁଦ୍ରିକ ସୁରକ୍ଷା ସୁଦୃଢ଼
- ସାଇବର ଅପରାଧ ଓ ଡାର୍କ ୱେବ୍ ଉପରେ ନଜର
- ଗୁଇନ୍ଦା ସୂଚନା ସଂଗ୍ରହ ଶକ୍ତିଶାଳୀ
- ଥାନାର ଆଧୁନିକୀକରଣ
- ଭଦ୍ର ଓ ବିଶ୍ୱସନୀୟ ଜନସମ୍ପର୍କ
- ଦାଦାବଟି ଓ ବଳପୂର୍ବକ ଚାନ୍ଦା ଆଦାୟ ବନ୍ଦ
- ଦୁର୍ନୀତିମୁକ୍ତ ଓ ନିଷ୍ଠାବାନ ପୋଲିସ ବ୍ୟବସ୍ଥା
ମୁଖ୍ୟମନ୍ତ୍ରୀ ୫୭୫ କି.ମି. ଲମ୍ବା ଓଡ଼ିଶା ଉପକୂଳର ସୁରକ୍ଷା ନେଇ ମଧ୍ୟ ସମୀକ୍ଷା କରିଥିଲେ। ଏଥିପାଇଁ ୧୦ଟି ଡ୍ରୋନ୍, ୫ଟି ଟ୍ରଲର, ୧୦ଟି ଆଧୁନିକ ଇଣ୍ଟରସେପ୍ଟର ବୋଟ୍ କ୍ରୟ ପ୍ରକ୍ରିୟା ଚାଲିଥିବା ବେଳେ ସମୁଦ୍ରକୂଳରେ ଅଲ୍ ଟେରେନ୍ ଭେହିକଲ୍ ଯୋଗେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି।
ସାଇବର ଠକେଇ ଓ ଆର୍ଥିକ ଜାଲିଆତି ରୋକିବା ପାଇଁ NATGRID ଓ CCTNS ଭଳି ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହ ଡାର୍କ ୱେବ୍ ଉପରେ ନିରନ୍ତର ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ମୋହନ ମାଝୀ କହିଥିଲେ, ଗତ ଦୁଇ ବର୍ଷରେ ପୋଲିସ ବିଭାଗରେ ୧୭,୭୯୪ଟି ନୂଆ ପଦ ସୃଷ୍ଟି ହୋଇଥିବା ବେଳେ ୫,୮୧୭ଟି ପଦ ପୂରଣ ହୋଇଛି। ଥାନା ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କାର ସ୍ୱତନ୍ତ୍ର ତଦନ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଇଛି। ସମ୍ମିଳନୀରେ ଡିଜିପି ବିନୟତୋଷ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ।