ଭୁବନେଶ୍ୱର: ଓଡ଼ିଶାରେ ବୃହତ୍ ଶିଳ୍ପ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜମି ଅଧିଗ୍ରହଣ, ଭିତ୍ତିଭୂମି ବିକାଶ ଏବଂ ଅନ୍ୟାନ୍ୟ ଆବଶ୍ୟକ ପ୍ରସଙ୍ଗର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି।
ବୈଠକରେ ଇସ୍ପାତ ଓ ଖଣି, ଶିଳ୍ପ, ରାଜସ୍ୱ, ଶକ୍ତି, ବନ ଓ ପରିବେଶ, ଅର୍ଥ, ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ସେହିପରି IDCO, OMC, EPICOL, TPCODL ପ୍ରତିନିଧି ଓ ଅନୁଗୁଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ସୁନ୍ଦରଗଡ଼, କଟକ ଏବଂ ଭଦ୍ରକ ଜିଲ୍ଲାପାଳମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିଲେ।
ବୈଠକରେ NALCOର ସ୍ମେଲ୍ଟର ଓ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ସହ ଉତ୍କଳ ‘D’ ଓ ‘E’ କୋଇଲା ଖଣି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜମି ଅଧିଗ୍ରହଣ, ପୁନର୍ବାସ, ଗ୍ରାମସଭା, ଜନଶୁଣାଣି ଓ ଭିତ୍ତିଭୂମି ବିକାଶ ନେଇ ଆଲୋଚନା ହୋଇଥିଲା।
ଏହାଛଡ଼ା ଆଦାନୀ ଗ୍ରୁପ୍ର ଧାମରା ଓ ଗୋପାଳପୁର ବନ୍ଦର ସମ୍ପ୍ରସାରଣ, ଶିଳ୍ପ ପାର୍କ, ପାୱାର, ଆଲୁମିନିୟମ, ସିମେଣ୍ଟ, କୋଇଲା ଗ୍ୟାସିଫିକେସନ, ଡାଟା ସେଣ୍ଟର ଓ ଲଜିଷ୍ଟିକ୍ସ ପ୍ରକଳ୍ପ ଉପରେ ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସଡ଼କ–ରେଳ ସଂଯୋଗ, ଜମି ଓ ସରକାରୀ ସହଯୋଗକୁ ନେଇ ବିଭିନ୍ନ ପ୍ରସଙ୍ଗର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମେଗା ପ୍ରକଳ୍ପର ସମୟାନୁସାରେ କାର୍ଯ୍ୟକାରିତା ରାଜ୍ୟରେ ଶିଳ୍ପ ବିକାଶ, ପୁଞ୍ଜିନିବେଶ, ରୋଜଗାର ସୃଷ୍ଟି ଓ ଆର୍ଥିକ ଅଭିବୃଦ୍ଧିକୁ ନୂଆ ଗତି ଦେବ।