ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରେ ଶନିବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କାର୍ଯ୍ୟାଳୟର ପ୍ରଥମ ମହଲାରେ ଥିବା ସର୍ଭର ରୁମ୍ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ସର୍ଭର, ଇଲେକ୍ଟ୍ରୋନିକ୍ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଛି।
ନିଆଁ ଲାଗିବା ସହିତ ସର୍ଭର ରୁମ୍ରୁ ଧୂଆଁ ଓ ନିଆଁର ଲେଲିହାନ ଶିଖା ବ୍ୟାପିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଅଭିଯାନ ଆରମ୍ଭ କରିଥିଲେ। କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ କାର୍ଯ୍ୟାଳୟର ଅନ୍ୟ ଅଂଶକୁ ନିଆଁ ବ୍ୟାପିବାରୁ ରୋକାଯାଇଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି କିମ୍ବା ଆହତ ହେବାର ଖବର ମିଳିନାହିଁ।
ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହା ବିସ୍ତୃତ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ କହିଛନ୍ତି।