ରାଉରକେଲା: ପାନପୋଷ ସର୍କିଟ ହାଉସରୁ ବନ୍ଧୁକ ଓ ଗୁଳି ଜବତ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ଆଜି ରଘୁନାଥପାଲି ଥାନା ପୋଲିସ୍ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବ। ପାଞ୍ଚ ଦିନିଆ ରିମାଣ୍ଡ ପାଇଁ ପୋଲିସ୍ କୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ଦୁଇ ଦିନ ପାଇଁ ଅନୁମତି ଦେଇଛନ୍ତି।
ତଦନ୍ତକାରୀ ଟିମ୍ ପ୍ରକାଶଙ୍କୁ ସର୍କିଟ ହାଉସକୁ ନେଇ ଘଟଣାର ପୂରା ଗୁମର ଖୋଲିବାକୁ ଯୋଜନା କରିଛି। ସହରର କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ଅଘଟଣ ଘଟାଇବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା କି ନାହିଁ, ସେନେଇ ଘନଘନ ଜେରା କରାଯିବ।
ଏହା ସହ ବାଲିଘାଟ ଠିକାଦାର, ଶିଳ୍ପପତି ଓ ଖଣି ମାଲିକଙ୍କ ନିକଟରୁ ବଟି ଆଦାୟ, ଟେଣ୍ଡର ଫିକ୍ସିଂ ଏବଂ ସଂଗଠିତ ଅପରାଧ ନେଟୱର୍କ ସହ ସମ୍ପୃକ୍ତି ନେଇ ମଧ୍ୟ ପ୍ରକାଶଙ୍କୁ ପଚରାଉଚରା କରାଯିବ।
ଏହି ମାମଲାରେ ପ୍ରକାଶଙ୍କ ଦୁଇ ସହଯୋଗୀ ଜନ୍ ନାଏକ ଓ ଅମିତ୍ ନାଏକ ରଘୁନାଥପାଲି ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ସୁଦ୍ଧା ଏହି ବନ୍ଧୁକ କାଣ୍ଡରେ ପ୍ରକାଶଙ୍କ ସମେତ ୧୨ ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି।
ଅନ୍ୟପଟେ, ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିରେ ପ୍ରକାଶ ପାଶୱାନଙ୍କ ଦ୍ୱାରା ବେଆଇନ ଭାବେ ନିର୍ମିତ କମ୍ୟୁନିଟି ସେଣ୍ଟରକୁ ଜଙ୍ଗଲ ବିଭାଗ ସିଲ୍ କରିଛି। ପୋଲିସ୍ ସୂଚନା ଅନୁସାରେ, ପ୍ରକାଶଙ୍କ ନାମରେ ପୂର୍ବରୁ ସହରର ବିଭିନ୍ନ ଥାନାରେ ୧୭ଟି ଅପରାଧିକ ମାମଲା ରହିଛି।
ଏହାବ୍ୟତୀତ, ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଉଦିତନଗର ଥାନାରେ ସିଆରାମ ପ୍ରସାଦ ଓ ବନ୍ଦନା ସାହୁଙ୍କ ଅଭିଯୋଗ ଆଧାରରେ ପ୍ରକାଶଙ୍କ ବିରୋଧରେ ଆଉ ଦୁଇଟି ନୂଆ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି।