ଭୁବନେଶ୍ୱର: ସରକାରୀ ଯୋଜନାରେ ମିଳୁଥିବା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ଟଙ୍କା ଏଣିକି କେବଳ ଆଧାର ସହ ସିଡ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ହିଁ ପଠାଯିବ। DBT ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ଜାଲିଆତିମୁକ୍ତ କରିବା ପାଇଁ ଓଡ଼ିଶା ଅର୍ଥ ବିଭାଗ ସମସ୍ତ ବିଭାଗକୁ ଏହି ନିର୍ଦ୍ଦେଶ ଜାରି କରିଛି।
ଅଗଷ୍ଟ 24 ତାରିଖରେ ଅର୍ଥ ବିଭାଗର ଅତିରିକ୍ତ ସଚିବ ସାଗରିକା ହୋତା ବିଭିନ୍ନ DBT ଯୋଜନା କାର୍ଯ୍ୟକାରୀ କରୁଥିବା ବିଭାଗଗୁଡ଼ିକୁ ଚିଠି ଲେଖି ଏହି ବ୍ୟବସ୍ଥାକୁ ଶୀଘ୍ର ଲାଗୁ କରିବାକୁ କହିଛନ୍ତି।
ଚିଠିରେ 2025-26 ବର୍ଷର ପବ୍ଲିକ୍ ଆକାଉଣ୍ଟସ୍ କମିଟି (PAC) ର ସପ୍ତମ ବୈଠକର ସୁପାରିସକୁ ଉଲ୍ଲେଖ କରାଯାଇଛି। PAC ସ୍ପଷ୍ଟ କରିଥିଲା ଯେ, କେବଳ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆଧାରରେ DBT ପେମେଣ୍ଟ କରିବା ପରିବର୍ତ୍ତେ ଆଧାର ସିଡିଂକୁ ବାଧ୍ୟତାମୂଳକ କରାଯିବା ଉଚିତ।
ଅର୍ଥ ବିଭାଗ କହିଛି, ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ମ୍ୟାପ୍ ହୋଇଥିଲେ ପ୍ରକୃତ ହିତାଧିକାରୀଙ୍କ ପରିଚୟ ସହଜରେ ଯାଞ୍ଚ ହୋଇପାରିବ। NPCI Mapperରେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ସକ୍ରିୟ ରହିଛି, DBT ଟଙ୍କା ସିଧାସଳଖ ସେହି ଆକାଉଣ୍ଟକୁ ଯିବ। ଆଧାର ଓ ବ୍ୟାଙ୍କ ରେକର୍ଡରେ ତଥ୍ୟ ମେଳ ନଥିଲେ ତାହା ମଧ୍ୟ ଚିହ୍ନଟ ହୋଇପାରିବ।
ଏହି ବ୍ୟବସ୍ଥା ଲାଗୁ ହେଲେ ଭୁଲ୍ ଆକାଉଣ୍ଟକୁ ଟଙ୍କା ଯିବା, ଏକ ହିତାଧିକାରୀଙ୍କ ନାଁରେ ଏକାଧିକ ଥର ଅର୍ଥ ପ୍ରଦାନ ଏବଂ ଅନିୟମିତ ପେମେଣ୍ଟ ଭଳି ସମସ୍ୟା ଉପରେ ବଡ଼ ଧରଣର ରୋକ୍ ଲାଗିବ ବୋଲି ସରକାର ଆଶା କରିଛନ୍ତି।
DBT Bharat ପୋର୍ଟାଲରେ ଥିବା ସମସ୍ତ DBT କୋଡ୍ ଯୋଜନାରେ କେତେ ପେମେଣ୍ଟ ଆଧାର ସିଡ୍ ଆକାଉଣ୍ଟ ମାଧ୍ୟମରେ ହେଉଛି, ସେଥିର ସ୍ଥିତି Annexure-I ଫର୍ମାଟରେ ଅର୍ଥ ବିଭାଗକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗୃହ ଓ ନଗର ଉନ୍ନୟନ, ଖାଦ୍ୟ ଯୋଗାଣ, ପଞ୍ଚାୟତିରାଜ, କୃଷି, ସ୍ୱାସ୍ଥ୍ୟ, ମିଶନ ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ ସମେତ DBT ଜରିଆରେ ଅର୍ଥ ପ୍ରଦାନ କରୁଥିବା ସମସ୍ତ ବିଭାଗକୁ ଏହି ନିର୍ଦ୍ଦେଶ ପଠାଯାଇଛି। ଏହା ଫଳରେ ସରକାରୀ ସହାୟତା ପ୍ରକୃତ ହିତାଧିକାରୀଙ୍କ ପାଖରେ ଅଧିକ ସୁରକ୍ଷିତ ଭାବେ ପହଞ୍ଚିବ।