ନୂଆଦିଲ୍ଲୀ: ନେପାଳରେ ମୃତ୍ୟୁର ବିଭୀଷିକା । ମାତ୍ର ତିନି ଦିନରେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି । ଶୁକ୍ରବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଆଧାରରେ ଏଯାବତ ୫୪୭ ଲୋକଙ୍କ ମୃତ ମିଳିଛି । ସେପଟେ ୩୨୦ ଜଣ ଭାରତୀୟ ଏବେବି ନିଖୋଜ ଥିବାବେଳେ ୪୦୦ ଭାରତୀୟ ଚୀନ ସୀମାରେ ଫସି ରହିଛନ୍ତି । ୩୯୩ ମୃତଦେହର ପରିଚୟ ସ୍ପଷ୍ଟ ହୋଇନାହିଁ । ଏବେ ସୁଦ୍ଧା ୩ ହଜାର ୨୫୩ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୯୩ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୧୫୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ବୈଦେଶିକ ମନ୍ତ୍ରାଳୟ ସଚିବ ରଣଧୀର ଜୟସୱାଲ କହିଛନ୍ତି ।
ସେପଟେ ୨୧ ଜଣ ଭାରତୀୟ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଁଚିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସମସ୍ତଙ୍କୁ ଭେଟିଛନ୍ତି । କେନ୍ଦ୍ର ମନ୍ତ୍ରୀ ନେପାଳ ସେନା, ସରକାର ଏବଂ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି ।
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଚୀନ ପାର୍ଶ୍ୱରେ ଥିବା ପ୍ରାୟ ୪୦୦ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି। ନେପାଳରେ ବନ୍ୟା ପରେ ଭାରତ ସରକାର ନିରନ୍ତର ଭାବରେ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟରେ ସହାୟତା କରିଆସୁଛି।
ମନ୍ତ୍ରଣାଳୟ କହିଛି ଯେ ଏକ ସୁଡ଼ଙ୍ଗରୁ ଲୋକଙ୍କୁ ବାହାର କରିବା ପାଇଁ ନେପାଳକୁ ଏକ ଉଦ୍ଧାର ଦଳ ପଠାଯିବ। ଏହା ସହିତ, ଏକ ଡାକ୍ତରୀ ଦଳ ମଧ୍ୟ ପଠାଯିବ। ଭାରତ ସରକାର ଏବଂ ଭାରତୀୟ ଦୂତାବାସ ମିଳିତ ଭାବରେ ଉଦ୍ଧାର ହୋଇଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରୁଛନ୍ତି।
ଗତ ବୁଧବାର ନେପାଳର ରସୁୱାରେ ଭୋଟେକାଶୀ ନଦୀରେ ଆସିଥିଲା ଆକସ୍ମିକ ବନ୍ୟା । ପାହାଡ଼ର ଛାତି ଚିରି ପ୍ରଖର ଗତିରେ ଆସି ସବୁ କିଛି ନିଜ ସାଥିରେ ନେଇଯାଇଥିଲା ପ୍ରଳୟଙ୍କାରୀ ବନ୍ୟା । ଏହି ବନ୍ୟାରେ ଅନେକ ଘର, ବଡ଼ ବଡ଼ ପୋଲ, ବିଦ୍ୟୁତ ପ୍ରକଳ୍ପକୁ କାଗଜ ଭଳି ଭାସି ଯାଇଥିଲା ।