ଜଗତସିଂହପୁର ଜିଲ୍ଲାରେ ଦେବୀ ନଦୀକୁ ଡେଇଁପଡ଼ି ଜଣେ ୨୨ ବର୍ଷୀୟ ଯୁବକ ନିଖୋଜ ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୌଗାଁ ଥାନା ଅନ୍ତର୍ଗତ ଶିଖରଘାଟ ଦେବୀ ନଦୀ ସେତୁରୁ ଏହି ଘଟଣା ସାମ୍ନାକୁ ଆସିଛି। ନିଖୋଜ ଯୁବକ ହେଲେ ଶୈଳେଶ ପାଢ଼ୀ (୨୨)। ସେ ତିହୁଡ଼ା ଗାଁର ଶିଖର ପାଢ଼ୀଙ୍କ ପୁଅ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳେ ଶୈଳେଶ ନିଜ ସ୍କୁଟିରେ ଶିଖରଘାଟ ଦେବୀ ନଦୀ ସେତୁ ନିକଟକୁ ଆସିଥିଲେ। ପରେ ସେ ସେତୁ ଉପରେ ସ୍କୁଟି ପାର୍କ କରି ନଦୀକୁ ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି।
ଦୀର୍ଘ ସମୟ ଧରି ସେତୁ ଉପରେ ସ୍କୁଟି ଛିଡ଼ା ଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ତୁରନ୍ତ ନୌଗାଁ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଦେବୀ ନଦୀରେ ବ୍ୟାପକ ଖୋଜାଖୋଜି ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଯୁବକ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ, ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।