ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତାକାଲି (୩୦ ଅଗଷ୍ଟରୁ ୫ ସେପ୍ଟେମ୍ବର) ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଡ଼ ପବନର ସମ୍ଭାବନା ରହିଛି।
୩୦ ଅଗଷ୍ଟ: ୪ ଜିଲ୍ଲାକୁ ରେଡ୍ ଆଲର୍ଟ
IMD ଅନୁସାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳରୁ ଅତ୍ୟଧିକ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ଯାଜପୁର, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ପାଇଁ ଅରେଞ୍ଜ ଆଲର୍ଟ ରହିଛି। ୧୫ଟି ଜିଲ୍ଲାରେ ୟେଲୋ ଆଲର୍ଟ ସହ ୪୦–୫୦ କିମି ବେଗରେ ଝଡ଼ ପବନ ଓ ବଜ୍ରପାତର ସମ୍ଭାବନା ରହିଛି।
୩୧ ଅଗଷ୍ଟରେ ବି ଜାରି ରହିବ ବିପଦ
ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ବଳବତ୍ତର ରହିବ। ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଅରେଞ୍ଜ ସତର୍କତା ଜାରି ହୋଇଛି।
୧–୫ ସେପ୍ଟେମ୍ବର: ପଶ୍ଚିମ ଓଡ଼ିଶାରେ ବର୍ଷା
ସେପ୍ଟେମ୍ବର ୧ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୨ ଓ ୩ ସେପ୍ଟେମ୍ବରରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଆଖପାଖ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ୪ ଓ ୫ ସେପ୍ଟେମ୍ବରରେ ବରଗଡ଼ ସମେତ କେତେକ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି ରହିବ।
ରେଡ୍ ଓ ଅରେଞ୍ଜ ଆଲର୍ଟ ଥିବା ଜିଲ୍ଲାର ଲୋକମାନେ ଅନାବଶ୍ୟକ ଯାତ୍ରାରୁ ବିରତ ରୁହନ୍ତୁ ଏବଂ ସ୍ଥାନୀୟ ପ୍ରଶାସନର ସତର୍କ ସୂଚନାକୁ ଅନୁସରଣ କରିବାକୁ IMD ପରାମର୍ଶ ଦେଇଛି।