ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ନୀତିକାନ୍ତିରେ ସାମୟିକ ବ୍ୟାଘାତ ସୃଷ୍ଟି ହୋଇଥିଲା। ଢୁକୁଡ଼ି ଦ୍ୱାର ନିକଟରେ ବାନ୍ତି ପଡ଼ିବା ଦେଖିବା ପରେ ଶାସ୍ତ୍ରବିଧି ଅନୁଯାୟୀ ବଡ଼ ମହାସ୍ନାନ ନୀତି ସମ୍ପନ୍ନ କରାଯାଇଥିଲା। ଫଳରେ ପ୍ରାୟ ଦେଢ଼ ଘଣ୍ଟା ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା।
ମନ୍ଦିର ସୂତ୍ର ଅନୁଯାୟୀ, ସକାଳ ଧୂପ ନୀତି ପରେ ଭିତରକାଠ ଦର୍ଶନ ଚାଲିଥିବା ବେଳେ ଢୁକୁଡ଼ି ଦ୍ୱାର ନିକଟରେ ବାନ୍ତି ପଡ଼ିଥିବା ଜଣାପଡ଼ିଥିଲା। ଏହାପରେ ପବିତ୍ରତା ରକ୍ଷା ପାଇଁ ମନ୍ଦିରର ପାରମ୍ପରିକ ବିଧି ଅନୁଯାୟୀ ମହାସ୍ନାନ ନୀତି ପାଳନ କରାଯାଇଥିଲା।
ମହାସ୍ନାନ ନୀତି ଚାଲିଥିବା ସମୟରେ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହା ଯୋଗୁଁ ଦର୍ଶନ ପାଇଁ ଅପେକ୍ଷା କରିଥିବା ଶତାଧିକ ଭକ୍ତଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ବଡ଼ ମହାସ୍ନାନ ଓ ଅନ୍ୟାନ୍ୟ ଆବଶ୍ୟକ ନୀତି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିରରେ ପୁଣିଥରେ ସ୍ୱାଭାବିକ ଭାବେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା।