ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ (I&PR) ବିଭାଗକୁ ମିଳିଛନ୍ତି ନୂଆ ନିର୍ଦ୍ଦେଶକ। ବରିଷ୍ଠ IAS ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ଆଜି ଲୋକସେବା ଭବନରେ ଆନୁଷ୍ଠାନିକ ଭାବେ ବିଭାଗର ନିର୍ଦ୍ଦେଶକ ପଦରେ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି।
ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱାଗତ ସମାରୋହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ ସଚିବ କଲାମୁଦ୍ଦିନ୍, ଅତିରିକ୍ତ ନିର୍ଦ୍ଦେଶିକା ସ୍ମିତା କର ଓ ଯୁଗ୍ମ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସଞ୍ଜୟ ବିଶ୍ୱାଳଙ୍କୁ ସ୍ୱାଗତ ଜଣାଇଥିଲେ।
ଏହି ଅବସରରେ ପୂର୍ବତନ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଯାଇଥିଲା। ବିଭାଗର ବିଭିନ୍ନ ଶାଖାର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ନୂଆ ନିର୍ଦ୍ଦେଶକଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଦାୟିତ୍ୱ ଗ୍ରହଣ ପରେ ସଞ୍ଜୟ କୁମାର ବିଶ୍ୱାଳ କହିଥିଲେ ଯେ, ସରକାରଙ୍କ ଜନମୁଖୀ କାର୍ଯ୍ୟକ୍ରମ ଓ ସୂଚନାକୁ ଅଧିକ ପ୍ରଭାବଶାଳୀ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ମିଳିତ ଉଦ୍ୟମରେ ବିଭାଗର ଦାୟିତ୍ୱ ସୁଚାରୁ ଭାବେ ପାଳନ କରାଯିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସଞ୍ଜୟ ବିଶ୍ୱାଳ ଏହାପୂର୍ବରୁ ବାଣିଜ୍ୟ ଓ ପରିବହନ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ। ସେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ଓ CRUTରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଦାୟିତ୍ୱ ସଫଳତାର ସହ ତୁଲାଇ ଦକ୍ଷ ନେତୃତ୍ୱ ଓ କାର୍ଯ୍ୟଦକ୍ଷତା ପାଇଁ ପରିଚିତି ଲାଭ କରିଛନ୍ତି।