ଭୁବନେଶ୍ୱର : ଆଜି ୧୩୭ ତମ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ଜଙ୍ଗଲ ସଂରକ୍ଷଣ କରି ପ୍ରଶଂସା ସାଉଁଟିଛନ୍ତି ମୈଥିଲି ଭୁଏ । ମୈଥିଲିଙ୍କର ଏହି କାର୍ଯ୍ୟରେ ଏବେ ପ୍ରାୟ ୬୦ ମହିଳା ସାମିଲ ହୋଇଛନ୍ତି ।
ମୈଥିଲି ଭୁଏଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୈଥିଲି ଜୀଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନ୍ୟ ମହିଳାଙ୍କୁ ପ୍ରେରଣା ଦେଇଛି । ଆଜି ୬୦ରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣରେ ସାମିଲ ହୋଇଛନ୍ତି । କିଏ ବନ୍ୟଜନ୍ତୁଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇଛନ୍ତି ତ କିଏ ଘାସ ମୈଦାନରେ ବିକାଶ ସହ ଯୋଡି ହୋଇଛନ୍ତି । କିଛି ମହିଳା ଇକୋ-ଟୁରିଜିମ୍ ଆକ୍ଟିଭିଟିରେ ଯୋଗଦାନ ଦେଇଛନ୍ତି । ମୈଥିଲି ଏବଂ ତାଙ୍କ ପରିବାରର ଆବଶ୍ୟକତା ଏହି ଜଙ୍ଗଲରୁ ପୂରଣ ହେଉଛି । ତେବେ ମୈଥିଲି ଜୀ ଡେବ୍ରିଗଡ଼ ଇକୋ-ଟୁରିଜିମ୍ ସହ ଯୋଡି ହୋଇ ରହିଛନ୍ତି । ଏଠାରେ ଜଙ୍ଗଲ ସହ ତାଙ୍କର ସମ୍ପର୍କ ନୂଆ ଦିଗରେ ପରିବର୍ତ୍ତନ ହୋଇଛି । ଏବେ ଜଙ୍ଗଲ ସଂରକ୍ଷଣ ତାଙ୍କ ଜୀବିକାର ମାଧ୍ୟମ ହୋଇଛି ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇର କ୍ରିଷ୍ଣା ସେସାଦ୍ରିଙ୍କ ସହ ଇତିହାସକୁ ନେଇ ମନର କଥା ରଖିଛନ୍ତି । କ୍ରିଷ୍ଣଜୀ ଇତିହାସର ଘଟଣାବଳୀକୁ ନେଇ ପ୍ରସ୍ତୁତ କରିଥିବା ୱେବସାଇଟ୍କୁ ପ୍ରଶଂସା କରିଛନ୍ତି । କେଉଁଥିପାଇଁ ଇତିହାସରେ ମନ ବଳାଇଲେ ସେନେଇ କଥା ହେଲେ ପ୍ରଧାନମନ୍ତ୍ରୀ । ଇତିହାସରୁ ଉପକୃତ ନୁହେଁ, କିପରି ଆଗ୍ରହ ସହ ଅଧ୍ୟୟନ କରିହେବ ସେ କହିଛନ୍ତି । ଏହା ସହିତ ନିଶାମୁକ୍ତ ଦେଶ ଗଠନ ନେଇ ଯୁବକମାନଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଡ୍ରଗ୍ ଫ୍ରି ଇଣ୍ଡିଆ ଲକ୍ଷ୍ୟ ବାବଦରେ ପ୍ରଧାନମନ୍ତ୍ରୀ କହିଛନ୍ତି, '' ବିକଶିତ ଭାରତ ପାଇଁ ନିଶାମୁକ୍ତି ଭାରତ ଅଭିଯାନ ଜାରି ରହିଛି । ଏହାର ଲକ୍ଷ୍ୟ ସ୍ପଷ୍ଟ ନିଶା ମୁକ୍ତି ଯୁବା । ଆମ ଯୁବଗୋଷ୍ଠୀ ଏହାର ଅଂଶ ହୋଇଛନ୍ତି । ଏହା ସେମାନଙ୍କ ସ୍ୱାସ୍ଥ୍ୟ, ଖୁସି, ଉଜ୍ୱଳ ଭବିଷ୍ୟତ ପାଇଁ ସାମୂହିକ ସଂକଳ୍ପ । ନିଶା କେବଳ ଜଣଙ୍କୁ ନୁହେଁ, ଏହା ତାଙ୍କ ପୁରା ପରିବାରକୁ ମଧ୍ୟ କବଳିତ କରି ରଖିଥାଏ । ନିଶା ମୁକ୍ତ ଭାରତ ପାଇଁ ଶକ୍ତିଶାଳୀ ସ୍ଲୋଗାନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।