ଭୁବନେଶ୍ୱର: ଓଡ଼ିଶାରେ ବିଧାୟକ ଏବଂ ପୂର୍ବତନ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ପୁଣି ଥରେ ରାଜନୀତି ସରଗରମ ହୋଇଛି। ସଂସଦୀୟ ଯୁଗ୍ମ କମିଟିର ଓଡ଼ିଶା ବିଧାନସଭା ଗସ୍ତ ସମୟରେ ଦରମା ବୃଦ୍ଧିକୁ ନେଇ ସମ୍ମତି ପ୍ରକାଶ ପାଇଥିବା ବେଳେ, ଏବେ ଏହି ପ୍ରସଙ୍ଗରେ ଦରମା ବଢ଼ାଇବା ଦାବିକୁ ଜୋରଦାର କରିଛନ୍ତି ମୁଖ୍ୟ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ।
ବିଧାୟକଙ୍କ ଦରମା ବୃଦ୍ଧି ନେଇ ମତ ରଖି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ଏକାଧିକ ଥର ଦରମା ବୃଦ୍ଧି ନେଇ ଦାବି ହୋଇଛି ଏବଂ ଏଥିରେ ସମସ୍ତଙ୍କର ସର୍ବସମ୍ମତି ମଧ୍ୟ ରହିଛି। ଏ ନେଇ ବିଧାନସଭାରେ ଆଇନ ମଧ୍ୟ ପାରିତ ହୋଇସାରିଛି। ଶେଷ ଥର ପାଇଁ ୨୦୧୮ ମସିହାରେ ଦରମା ବୃଦ୍ଧି ହୋଇଥିଲା, ଯାହାକୁ ଏବେ ୮ ବର୍ଷ ବିତିଗଲାଣି। ଜାତୀୟ ପରିସଂଖ୍ୟନ ତଥ୍ୟକୁ ଦେଖିଲେ, ଓଡ଼ିଶାର ବିଧାୟକମାନଙ୍କୁ ଦେଶର ଅନ୍ୟ ୨୪ଟି ରାଜ୍ୟ ତୁଳନାରେ କମ୍ ଦରମା ମିଳୁଛି।
ପେ କମିଶନ ରିପୋର୍ଟ ଅନୁସାରେ ସରକାରୀ କର୍ମଚାରୀଙ୍କ ଦରମା ବଢ଼ୁଥିବା ବେଳେ ବଢ଼ୁଥିବା ମୁଦ୍ରାସ୍ଫିତିକୁ ଦୃଷ୍ଟିରେ ରଖି ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଭତ୍ତା ମଧ୍ୟ ବଢ଼ିବା ଜରୁରୀ। ସରକାର ଏଥିରେ କୌଣସି ସର୍ତ୍ତ ରଖିବା ଠିକ୍ ନୁହେଁ ଏବଂ ଦରମା ବୃଦ୍ଧି ନିଷ୍ପତ୍ତିରେ ବହୁତ ବିଳମ୍ବ ହୋଇସାରିଲାଣି ବୋଲି ସେ କହିଛନ୍ତି।ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ସରକାରଙ୍କୁ କଟ୍ାକ୍ଷ କରି କହିଛନ୍ତି ଯେ ଅନେକ ବିଧାୟକ ଆଜି ଆର୍ଥିକ ଅସୁବିଧା ଯୋଗୁଁ ନିଜ ପାଇଁ ଔଷଧ ମଧ୍ୟ କିଣି ପାରୁ ନାହାନ୍ତି।
ଅର୍ଥନୈତିକ ବିଲ୍ ପ୍ରତ୍ୟାହାର କରାଯାଇଥିବାରୁ ଆଗାମୀ ମୌସୁମୀ ଅଧିବେଶନରେ ବିଧାୟକ ଦରମା ବୃଦ୍ଧି ବିଲ୍ ଆସିବ କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସରକାର ବିଧାୟକମାନଙ୍କ ମୌଳିକ ସମସ୍ୟା ଓ ଆବଶ୍ୟକତା ପ୍ରତି ଆଦୌ ଚିନ୍ତା କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।