ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉଜବେକିସ୍ତାନ ରାଷ୍ଟ୍ରପତି ଶଭକତ ମିର୍ଜିୟୋଭଙ୍କ ମଧ୍ୟରେ ତାସକେଣ୍ଟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିନିଧି ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଅର୍ଥନୈତିକ ସହଯୋଗ, ରଣନୈତିକ ଭାଗିଦାରୀ, ବାଣିଜ୍ୟ, ଶକ୍ତି, ଟେକ୍ନୋଲୋଜି ଏବଂ ସହରଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଓ ଉଜବେକିସ୍ତାନ ସେମାନଙ୍କ ସମ୍ପର୍କକୁ 'ବ୍ୟାପକ ରଣନୈତିକ ଭାଗିଦାରୀ' ସ୍ତରକୁ ନେଇ ଯାଉଛନ୍ତି। ଏହି ଅବସରରେ ଉଜବେକିସ୍ତାନ ରାଷ୍ଟ୍ରପତି ମିର୍ଜିୟୋଭ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେେଠାକାର ସର୍ବୋଚ୍ଚ ରାଜ୍ୟ ସମ୍ମାନ 'ଓଲି ଦାରାଜାଲି ଦୁସ୍ତଲିକ୍' ପ୍ରଦାନ କରି ସମ୍ମାନିତ କରିଛନ୍ତି।
ପ୍ରକଳ୍ପ ଏବଂ ସମୟସୀମା ଉପରେ ଗୁରୁତ୍ୱ
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ରାଷ୍ଟ୍ରପତି ମିର୍ଜିୟୋଭଙ୍କ ସେହି ପୁସ୍ତକ ଦେଖିଛନ୍ତି, ଯେଉଁଥିରେ ଦୁଇ ଦେଶ ମଧ୍ୟରେ ଆର୍ଥନୈତିକ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସମୟସୀମା ମଧ୍ୟ ସ୍ଥିର କରାଯାଇଛି। ଏହି ପଦକ୍ଷେପର ପ୍ରଶଂସା କରି ସେ ଆଶା ପ୍ରକାଶ କରିଛନ୍ତି ଯେ ଉଭୟ ଦେଶ ମିଳିତ ଭାବେ ଏହି ପ୍ରକଳ୍ପଗୁଡ଼ିକରେ ଶୀଘ୍ର ଅଗ୍ରଗତି କରିବେ। ଗତକାଲି ରାତିର ରାତ୍ରୀଭୋଜନ ସମୟରେ ଉଭୟ ନେତାଙ୍କ ମଧ୍ୟରେ ଅତ୍ୟନ୍ତ ଫଳପ୍ରଦ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି।
ଦୁଇ ଦେଶ ମଧ୍ୟରେ ସହଯୋଗର ପ୍ରତିଟି ଦିଗକୁ ସଠିକ୍ ଦିସା ଦେବା ପାଇଁ ବୈଦେଶିକ ମନ୍ତ୍ରୀ ସ୍ତରରେ ଏକ ସମନ୍ୱୟ ପରିଷଦ (Coordination Council) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଯୁଗ୍ମ ଆୟୋଗ କମିଟିକୁ ସଚିବ ସ୍ତରରୁ ବଢ଼ାଇ ମନ୍ତ୍ରୀ ସ୍ତରକୁ ନେବା ପାଇଁ ମଧ୍ୟ ସହମତି ପ୍ରକାଶ ପାଇଛି। ଭାରତ ଏବଂ ଉଜବେକିସ୍ତାନ ମିଳିତ ଭାବେ ଏକ ବୃହତ୍ ବ୍ୟାପାର ଶିଖର ସମ୍ମିଳନୀ ଆୟୋଜନ କରିବେ, ଯେଉଁଥିରେ ଉଭୟ ଦେଶର ବ୍ୟବସାୟୀ ଏବଂ ଶିଳ୍ପପତିମାନେ ସାମିଲ ହେବେ।
ୟୁରେନିୟମ୍ ଏବଂ ସିଷ୍ଟର-ସିଟି ବ୍ୟବସ୍ଥା
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଦେଶ ୟୁରେନିୟମ୍ ଯୋଗାଣ ପାଇଁ ଏକ ଦୀର୍ଘକାଳୀନ ବ୍ୟବସ୍ଥା ପ୍ରସ୍ତୁତ କରିବେ। ଏହା ସହିତ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ତିନୋଟି 'ସିଷ୍ଟର-ସିଟି' ଏବଂ 'ସିଷ୍ଟର-ଷ୍ଟେଟ୍' ବ୍ୟବସ୍ଥା ମଧ୍ୟ କରାଯାଉଛି। ଏହି ସମସ୍ତ ବ୍ୟବସ୍ଥାର ସର୍ବାଧିକ ଉପଯୋଗ କରିବା ପାଇଁ ଏକ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି।