ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତଙ୍କ ଦ୍ୱାରା ଦିଆଯାଇଥିବା ଏକ ବୟାନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ହିନ୍ଦୁ-ମୁସଲମାନ ଏକତା ଏବଂ ଭାଇଚାରାକୁ ନେଇ ମୋହନ ଭାଗବତ ଦେଇଥିବା ମନ୍ତବ୍ୟକୁ ଅଯୋଧ୍ୟାର ବାବ୍ରି ମସଜିଦ୍ର ପୂର୍ବତନ ମୁଖ୍ୟ ପକ୍ଷକାର ଇକବାଲ ଅନସାରୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ସଂଘ ମୁଖ୍ୟ ଯାହା କହିଛନ୍ତି, ତାହାେ ସମ୍ପୂର୍ଣ୍ଣ ଠିକ୍ ଏବଂ ସମୟୋପଯୋଗୀ।
ଅମେରିକାର ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋହନ ଭାଗବତ ବକ୍ତବ୍ୟ ରଖିବା ଅବସରରେ କହିଥିଲେ ଯେ, ଯଦି କୌଣସି ହିନ୍ଦୁ ଏଭଳି ଚିନ୍ତା କରେ ଯେ ଭାରତରେ କୌଣସି ମୁସଲମାନ ରହିବା ଉଚିତ୍ ନାହିଁ, ତେବେ ସେ ଆଉ ପ୍ରକୃତ ହିନ୍ଦୁ ହୋଇ ରହିବ ନାହିଁ। ସଂଘ ମୁଖ୍ୟଙ୍କ ଏହି ବାର୍ତ୍ତା ଉପରେ ପ୍ରତିକ୍ରିୟା ରଖି ଇକବାଲ ଅନସାରୀ କହିଛନ୍ତି ଯେ ଏହା ଏକ ବଡ଼ ଏବଂ ସକରାତ୍ମକ ଚିନ୍ତାଧାରା।
ଇକବାଲ ଅନସାରୀ ଆହୁରି ମଧ୍ୟ କହିଛନ୍ତି ଯେ ଦେଶକୁ ଆଗକୁ ବଢ଼ାଇବାକୁ ହେଲେ ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ। ଦେଶର ପ୍ରଗତି, ବିକାଶ ଏବଂ ଯୁବବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ନିମନ୍ତେ ହିନ୍ଦୁ ଏବଂ ମୁସଲମାନମାନଙ୍କୁ ହାତରେ ହାତ ମିଳାଇ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।
ସେ କହିଛନ୍ତି ଯେ ମୋହନ ଭାଗବତ ଜଣେ ଅଭିଜ୍ଞ ବ୍ୟକ୍ତି ଏବଂ ତାଙ୍କର ଏଭଳି ବୟାନ ଦେଶରେ ସାମ୍ପ୍ରଦାୟିକ ସଦଭାବ ଓ ଭାଇଚାରାକୁ ଆହୁରି ମଜବୁତ କରିବ। ଆମ ଦେଶରେ ସମସ୍ତ ଧର୍ମ ଏବଂ ସମସ୍ତ ବର୍ଗର ଲୋକେ ପରସ୍ପରକୁ ସମ୍ମାନ ଜଣାଇ ଶାନ୍ତି ଓ ଏକତାର ସହ ରହିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଛନ୍ତି।