ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆଜି ଏକ ବଡ଼ ମୋଡ଼ ନେଇଛି। ରାଜ୍ୟର ପୁଣେ ସ୍ଥିତ ହଡ଼ପସର ସରକାରୀ ଜନଜାତି ଛାତ୍ରାବାସର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଦାବି ନେଇ ଦୀର୍ଘ ଦିନ ହେବ ଅନଶନରେ ବସିଥିଲେ।
ଶେଷରେ ଛାତ୍ର ସମାଜର ପ୍ରବଳ ଚାପ ଏବଂ ଜିଦ୍ ଆଗରେ ମୁଣ୍ଡ ନୁଆଁଇଛି ମହାରାଷ୍ଟ୍ରର ଫଡଣଭିସ ସରକାର। ସରକାର ଛାତ୍ରଛାତ୍ରୀଙ୍କ ସମସ୍ତ ଦାବିକୁ ବିନା ସର୍ତ୍ତରେ ଗ୍ରହଣ କରିଛନ୍ତି। ଗତ ଅଗଷ୍ଟ ୧୩ ତାରିଖରୁ ପୁଣେର ଆଦିବାସୀ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନଙ୍କ ମୁଖ୍ୟ ଅଭିଯୋଗ ଥିଲା ଯେ, ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କିଛି ନୂତନ ସରକାରୀ ବିଜ୍ଞପ୍ତି (GR) ଅତ୍ୟନ୍ତ କଠିନ ଏବଂ କ୍ଷତିକାରକ ଥିଲା।
ଛାତ୍ରମାନଙ୍କର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଛାତ୍ରାବାସ ପାଇଁ ଧାର୍ଯ୍ୟ ୩୦ ବର୍ଷର ବୟସ ସୀମା ପ୍ରତ୍ୟାହାର, ମହଙ୍ଗା ବୃଦ୍ଧି ଅନୁଯାୟୀ ମେଣ୍ଟେନାନ୍ସ ଭତ୍ତା ବୃଦ୍ଧି ଏବଂ ସୁରକ୍ଷିତ କେନ୍ଦ୍ରୀୟ ଛାତ୍ରାବାସ ନିର୍ମାଣ ଆଦି ସାମିଲ ଥିଲା। ଏହାଛାଡ଼ା, ରାଜ୍ୟର ବିଭିନ୍ନ ଆଶ୍ରମ ସ୍କୁଲ ଓ ଛାତ୍ରାବାସରେ ପଡ଼ିରହିଥିବା ପ୍ରାୟ ୧୨,୫୦୦ରୁ ଅଧିକ ଖାଲି ପଦବୀ ଶୀଘ୍ର ପୂରଣ କରାଯାଉ ବୋଲି ସେମାନେ ଦୃଢ଼ ଦାବି ରଖିଥିଲେ।
ଛାତ୍ରମାନଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ଏବଂ ନେତାମାନଙ୍କଠାରୁ ମଧ୍ୟ ବ୍ୟାପକ ସମର୍ଥନ ମିଳିଥିଲା। ବିଶେଷକରି ଜନଜାତି ଛାତ୍ରଛାତ୍ରୀଙ୍କ ଦୁର୍ଦ୍ଦଶାକୁ ନେଇ ରାଜନୈତିକ ସରଗରମ ବଢ଼ିବାରୁ ମନ୍ତ୍ରୀସ୍ତରୀୟ ବୈଠକ ଡକାଯାଇଥିଲା। ମୁମ୍ବାଇସ୍ଥିତ ମନ୍ତ୍ରାଳୟରେ ଛାତ୍ର ପ୍ରତିନିଧିମାନେ ଜନଜାତି ବିକାଶ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ସରକାର ଏନେଇ ଆଶ୍ୱାସନା ଦେଇଥିଲେ।
ଅନଶନର ଗମ୍ଭୀରତାକୁ ବୁଝି ଶେଷରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଏବଂ ସରକାରୀ ସ୍ତରରୁ ସମସ୍ତ ଦାବିକୁ ମଞ୍ଜୁର କରାଯାଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି। ଛାତ୍ରମାନଙ୍କ ଏହି ସଫଳତା ପରେ ରାଜ୍ୟର ଶିକ୍ଷା ଓ ଛାତ୍ର ମହଲରେ ଆଶ୍ୱସ୍ତିର ବାତାବରଣ ଦେଖିବାକୁ ମିଳିଛି।