ନେପାଳରେ ଜାରି ରହିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ଏହି ବିପତ୍ତି ମଧ୍ୟରେ କାଠମାଣ୍ଡୁରେ ଫସି ରହିଥିବା ମହାରାଷ୍ଟ୍ରର ପ୍ରାୟ ୧୦୦ ଜଣ ତୀର୍ଥଯାତ୍ରୀଙ୍କୁ ବିହାର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଓ ତତ୍ପରତା ଯୋଗୁଁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ମହାରାଷ୍ଟ୍ରରୁ କୈଳାସ ମାନସରୋବର ଓ ନେପାଳର ବିଭିନ୍ନ ତୀର୍ଥକ୍ଷେତ୍ର ଦର୍ଶନ ପାଇଁ ଯାଇଥିବା ଏହି ତୀର୍ଥଯାତ୍ରୀମାନେ ବନ୍ୟା ଯୋଗୁଁ ଯାତାୟାତ ଠପ୍ ହୋଇଯିବାରୁ କାଠମାଣ୍ଡୁରେ ଅସହାୟ ଭାବେ ଫସି ରହିଥିଲେ। ଏ ନେଇ ଖବର ପାଇବା ପରେ ବିହାର ସରକାର ନେପାଳସ୍ଥିତ ଭାରତୀୟ ଦୂତାବାସ ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଏକ ସ୍ୱେଚ୍ଛାସେବୀ ଓ ଉଦ୍ଧାରକାରୀ ଟିମ୍ ପ୍ରେରଣ କରିଥିଲେ।
ବିହାର ସୀମାନ୍ତ ଦେଇ ଏହି ସମସ୍ତ ୧୦୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଭାରତକୁ ଅଣାଯାଇଛି। ସେମାନଙ୍କ ରହିବା, ଖାଇବା ଏବଂ ନିଜ ନିଜ ଗୃହରାଜ୍ୟ ମହାରାଷ୍ଟ୍ରକୁ ଫେରିବା ପାଇଁ ବିହାର ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସୁରକ୍ଷିତ ଫେରିବା ପରେ ତୀର୍ଥଯାତ୍ରୀମାନେ ବିହାର ପ୍ରଶାସନ ଓ ସରକାରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।