ବାରିପଦା : ଟଙ୍କା ପାଇଁଭାଇ ହେଲା ଭଗାରୀ । ଲୁହା ପାଇପରେ ସାନ ଭାଇକୁ ମାରି ହତ୍ୟା କଲା ବଡ଼ ଭାଇ । ହତ୍ୟାକାରୀ ଭାଇକୁ ପୋଲିସ ଗିରଫ କରିଛି । ବାପାଙ୍କ ଟଙ୍କା ପାଇଁ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ଓ ପିଟାପିଟି ଆଉ ଶେଷରେ ହତ୍ୟା। ବାରିପଦା ସଦର ଥାନା ଅନ୍ତର୍ଗତ ଯତିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣଙ୍କ ହେଲେ ବୀରକିଶୋର ମହାନ୍ତ (୨୩)। ଅଭିଯୁକ୍ତ ବଡ଼ ଭାଇ ରାଜକିଶୋର ମହାନ୍ତ (୩୨) କୁ ଗିରଫ କଲା ସଦର ଥାନା ପୋଲିସ।
ସୂଚନା ମୁତାବକ କିଛିଦିନ ପୂର୍ବରୁ ଏକ ବିଦ୍ୟୁତ୍ ଆଘାତରେ ସେମାନଙ୍କ ବାପା ମହେନ୍ଦ୍ର ମହାନ୍ତ ମୃତ୍ୟୁ ବରଣ କରିଥିଲେ ଏବଂ ପରିବାରକୁ କ୍ଷତିପୂରଣ ବାବଦକୁ ୬ଲକ୍ଷ ଟଙ୍କା ଟଙ୍କା ମିଳିଥିଲା ଏବଂ ଏହି ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗିରହିଥିଲା । ଗତକାଲି ବାଇକ୍ କିଣିବା ପାଇଁ ବଡ଼ ଭାଇକୁ ସାନଭାଇ ଟଙ୍କା ମାଗିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସହିତ ମାରପିଟ୍ ମଧ୍ୟ ହୋଇଥିଲା । ଏଥିରେ ରାଗିଯାଇ ବଡ଼ଭାଇ ରାଜକିଶୋର ଏକ ଲୁହା ପାଇପ୍ ଆଣି ବୀରକିଶୋରଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ବୀରକିଶୋରଙ୍କ ମୃତ୍ୟୁ ଘଟିଛି । ସଦର ଥାନାରେ କେସ ନଂ - ୨୧୬/୨୮.୦୮.୨୬, ୧୦୩ (୧) ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ମୟୂରଭଞ୍ଜ ଆଡିସନାଲ ଏସ୍.ପି ଦୀପକ କୁମାର ଗୋଚ୍ଛାୟତ । ଅଭିଯୁକ୍ତ ନାମରେ ତାଙ୍କ ଭଉଣୀ ମନରୋମା ମହାନ୍ତ ଲିଖିତ ଅଭିଯୋଗ କରିଛନ୍ତି । ସେହି ଆଧାର ରେ ଅଭିଯୁକ୍ତ ବଡଭାଇ ରାଜକିଶୋରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।