ପାଳଲହଡ଼ା ବ୍ଲକ୍ ପବିତ୍ରପୁର ପଞ୍ଚାୟତ ଅନ୍ତର୍ଗତ ସାନବାଗଦରି ଗ୍ରାମରେ ସ୍କ୍ରବ୍ ଟାଇଫସ୍କୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ରୋଗରେ ଗ୍ରାମର ଜଣେ ୨୯ ବର୍ଷୀୟ ଯୁବକ ସୁମନ୍ତ ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଜ୍ୱରରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁଯାୟୀ, ସୁମନ୍ତଙ୍କୁ ଗତ ୨୦ ତାରିଖରେ ସ୍କ୍ରବ୍ ଟାଇଫସ୍ କୀଟ କାମୁଡ଼ିବା ପରେ ଜ୍ୱର ହୋଇଥିଲା। ସେ ପାଳଲହଡ଼ା ମେଡିକାଲରେ ଚିକିତ୍ସିତ ହୋଇ ଔଷଧ ନେଇ ଘରକୁ ଫେରିଥିଲେ। ତେବେ ଜ୍ୱର ନକମିବାରୁ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି ।ଏହି ଘଟଣା ପରେ ଗ୍ରାମରେ ଆଉ ୫ ଜଣ ଜ୍ୱରରେ ପୀଡ଼ିତ ଥିବା ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଇଛି।
ଘଟଣା ସମ୍ପର୍କରେ ଅନୁଗୋଳ ସିଡିଏମ୍ଓ କହିଛନ୍ତି ଯେ, ଏନେଇ ଭୟଭୀତ କିମ୍ବା ଆତଙ୍କିତ ହେବାର କୌଣସି କାରଣ ନାହିଁ। ଠିକ୍ ସମୟରେ ଚିକିତ୍ସା କରିଲେ ସ୍କ୍ରବ୍ ଟାଇଫସ୍ ଭଲ ହୋଇପାରିବ। ଗ୍ରାମକୁ ନିୟମିତ ସ୍ୱାସ୍ଥ୍ୟ ଟିମ୍ ପଠାଯାଉଛି। ଏହାସହ ଗ୍ରାମବାସୀଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି ଏବଂ ଆବଶ୍ୟକ ଔଷଧ ମଧ୍ଯ ଯୋଗାଇ ଦିଆଯାଉଛି।