ବିଶ୍ୱକପରେ ଭାରତୀୟ ମହିଳା ହକି ଦଳର ଐତିହାସିକ ପ୍ରଦର୍ଶନ ପାଇଁ ଦଳକୁ ପୁରସ୍କୃତ କରିଛି ହକି ଇଣ୍ଡିଆ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ରେ ପଞ୍ଚମ ସ୍ଥାନ ହାସଲ କରିଥିବା ସଲିମା ଟେଟେଙ୍କ ନେତୃତ୍ୱାଧୀନ ଦଳ ପାଇଁ ହକି ଇଣ୍ଡିଆ ୫୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଛି।
ଗୁରୁବାର ଆମଷ୍ଟେଲଭିନ୍ରେ ଅନୁଷ୍ଠିତ ପଞ୍ଚମ-ଷଷ୍ଠ ସ୍ଥାନ ନିର୍ଣ୍ଣୟ ମ୍ୟାଚ୍ରେ ଭାରତ ବିଶ୍ୱର ୫ ନମ୍ବର ଦଳ ଜର୍ମାନୀକୁ ୩-୧ ଗୋଲ୍ରେ ଭାରତ ପରାସ୍ତ କରିଥିଲା। ଏହି ବିଜୟ ସହ ଭାରତ ବିଶ୍ୱକପ୍ରେ ପଞ୍ଚମ ସ୍ଥାନ ହାସଲ କରିଛି।ଭାରତୀୟ ଦଳର ଏହି ଅଭିଯାନ ବେଶ୍ ଚମତ୍କାର ରହିଥିଲା। ୧୯୭୪ରେ ଆୟୋଜିତ ପ୍ରଥମ ମହିଳା ବିଶ୍ୱକପ୍ରେ ଚତୁର୍ଥ ସ୍ଥାନ ହାସଲ କରିବା ପରେ ଏହା ହେଉଛି ଭାରତ ମହିଳା ହକିଟିମ୍ ର ଶ୍ରେଷ୍ଠ ବିଶ୍ୱକପ୍ ପ୍ରଦର୍ଶନ।
ଦଳ ସମଗ୍ର ପ୍ରତିଯୋଗିତାରେ କେବଳ ଗୋଟିଏ ମ୍ୟାଚ୍ରେ ପରାଜିତ ହୋଇଥିଲା। ନିଜଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଚୀନ୍, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମ୍ୟାଚ୍ ଡ୍ର’ ରଖିଥିଲା। ଏହାସହ ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲ୍ରେ ପରାସ୍ତ କରିଥିଲା। ଶେଷରେ ଜର୍ମାନୀକୁ ହରାଇ ଦଳ ଐତିହାସିକ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା।
ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ଟିମ୍ କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଏହି ସଫଳତା ଭାରତୀୟ ମହିଳା ହକିରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୫୨ ବର୍ଷ ପରେ ବିଶ୍ୱକପ୍ରେ ପଞ୍ଚମ ସ୍ଥାନ ହାସଲ କରିବା ଦଳର କଠିନ ପରିଶ୍ରମ, ଦୃଢ଼ ମନୋବଳ ଓ ଲଢ଼େଇ କରିବାର ଦୃଢ଼ ମାନସିକତାର ପ୍ରମାଣ।