କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ମାଗିବାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ଜଣେ ୬୦ ବର୍ଷୀୟ ବ୍ୟକ୍ତି ବିଷ ପିଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ମୃତକ ହେଲେ ପଦ୍ମନାଭ ନାଏକ। ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ପଦ୍ମନାଭ ମଦ ପିଇବା ପାଇଁ ଘରେ ଟଙ୍କା ମାଗିଥିଲେ। ଏହାକୁ ନେଇ ସ୍ତ୍ରୀଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ସେ ବିଷ ପିଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ପରିବାର ସଦସ୍ୟମାନେ ତାଙ୍କୁ ପାଟଣା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ପଦ୍ମନାଭଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ଘଟଗାଁ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।