ପାରାଦୀପ: ପାରାଦୀପ ଉପକୂଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିବା ମାଲବାହୀ ଜାହାଜ ‘ଏମ୍ଭି ଓସେନ୍ ଓ୍ୱିନର୍’ (MV Ocean Winner)ର ଉଦ୍ଧାର ପାଇଥିବା ଦୁଇ ଚୀନ୍ ନାବିକ ପାରାଦୀପ ଛାଡ଼ିଛନ୍ତି। ଜାହାଜ ଏଜେନ୍ସିର ସହଯୋଗରେ ଉଭୟଙ୍କୁ କୋଲକାତା ପଠାଯାଇଛି, ଯେଉଁଠାରୁ ସେମାନଙ୍କୁ ଚୀନ୍ ଦୂତାବାସକୁ ହସ୍ତାନ୍ତର କରାଯିବା ପରେ ନିଜ ଦେଶକୁ ଫେରାଇ ନିଆଯିବ। ତେବେ ଫେରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା ଆଗରେ ସେମାନେ ସମୁଦ୍ର ମାଡ଼ିଆସିଥିବା ସେହି ଭୟାନକ ବିପଦ ଓ ସଂଘର୍ଷର ଛାତିଥରା କାହାଣୀ ବର୍ଣ୍ଣନା କରିଛନ୍ତି।
ଆଖି ପିଛୁଳାକେ ବୁଡ଼ିଗଲା ଜାହାଜ, ଜଳସମାଧି ନେଲେ ୧୪ ଜଣ
ଭାରତୀୟ କୋଷ୍ଟଗାର୍ଡର ଜାହାଜ ‘ଭରଦ’ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଦୁଇ ନାବିକ ପାନ୍ ଟୋଙ୍ଗଲାଇ ଏବଂ ଚେନ୍ ଜିଆନ୍ହେ କହିଛନ୍ତି ଯେ, ଦୁର୍ଘଟଣା ସମୟରେ ରାତି ପ୍ରାୟ ୧୦ଟା ୩୦ ହୋଇଥିଲା। ସେମାନେ ଜାହାଜର ଉପର ଡେକ୍ରେ ବିଶ୍ରାମ ନେଉଥିବା ବେଳେ ବାକି କ୍ରିୟୁ ସଦସ୍ୟମାନେ ଜାହାଜ ଭିତରେ ଥିଲେ। ହଠାତ୍ ପ୍ରଚଣ୍ଡ ଶବ୍ଦ ସହ ଜରୁରୀକାଳୀନ ସାଇରନ୍ ବାଜିଉଠିଥିଲା। ସେତେବେଳକୁ ଜାହାଜର ପ୍ରାୟ ୩୦ରୁ ୪୦ ପ୍ରତିଶତ ଅଂଶ ପାଣି ଭିତରେ ବୁଡ଼ିସାରିଥିଲା।
ଚାରିଆଡ଼େ ଅନ୍ଧାର ଏବଂ ସମୁଦ୍ରର ଉତ୍ତାଳ ତରଙ୍ଗ ଭିତରେ ଜୀବନ ବଞ୍ଚାଇବାକୁ ୧୦ ଜଣ ନାବିକ ସମୁଦ୍ରକୁ ଡେଇଁପଡ଼ିଥିଲେ। ମାତ୍ର ୮ରୁ ୧୦ ମିନିଟ୍ ଭିତରେ ଭୟଙ୍କର ରୋଲିଂ ଯୋଗୁଁ ଆଖି ଆଗରେ ଜାହାଜଟି ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା। ଜାହାଜ ଭିତରେ ଥିବା ୧୪ ଜଣ କ୍ରିୟୁ ସଦସ୍ୟ ସେହିସମୟରେ ଜଳସମାଧି ନେଇଥିଲେ।
ଲାଇଫ୍ ରାଫ୍ଟର ସାଜିଲା ସାହାରା
ସମୁଦ୍ରକୁ ଡେଇଁଥିବା ୧୦ ଜଣଙ୍କ ମଧ୍ୟରୁ ୮ ଜଣ ନାବିକ ଜାହାଜ ବୁଡ଼ିବା ସମୟରେ ସୃଷ୍ଟି ହୋଇଥିବା ପ୍ରବଳ ଆବର୍ତ୍ତ ବା ଭଉଁରି ଭିତରେ ଟାଣି ହୋଇ ବୁଡ଼ିଯାଇଥିଲେ। କେବଳ ପାନ୍ ଏବଂ ଚେନ୍ ଭାଗ୍ୟବଶତଃ ଜରୁରୀକାଳୀନ ‘ଲାଇଫ୍ ରାଫ୍ଟ’ (Life Raft)କୁ ଯିବାରେ ସଫଳ ହୋଇଥିଲେ, ଯାହା ଫଳରେ ସେମାନଙ୍କ ଜୀବନ ବଞ୍ଚିଯାଇଥିଲା।
ଜାରି ରହିଛି ସର୍ଚ୍ଚ ଅପରେସନ୍
ଜାହାଜରେ ମୋଟ ୨୪ ଜଣ କ୍ରିୟୁ ସଦସ୍ୟ ଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ଏହି ୨ ଜଣଙ୍କୁ ହିଁ ଉଦ୍ଧାର କରାଯାଇପାରିଛି। ବୁଡ଼ିଯାଇଥିବା ଜାହାଜର ସଠିକ୍ ଅବସ୍ଥାନ ଏବଂ ନିଖୋଜ କ୍ରିୟୁ ସଦସ୍ୟଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ନିଖୋଜମାନଙ୍କୁ ଖୋଜିବା ପାଇଁ ଚୀନ୍ର ଦୁଇଟି ସ୍ୱତନ୍ତ୍ର ଜାହାଜ ଏବଂ ନୌସେନାର ଦୁଇଟି ଏୟାରକ୍ରାଫ୍ଟ ସହାୟତାରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।