କେନ୍ଦ୍ରାପଡ଼ା: ବନ୍ୟା ପରିସ୍ଥିତି ସମୟରେ କର୍ତ୍ତବ୍ୟରେ ଅବହେଳା କରିବା ସମ୍ପୃକ୍ତ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ୨ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO)ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ନିଲମ୍ବିତ ହୋଇଥିବା ଦୁଇ ଅଧିକାରୀ ହେଉଛନ୍ତି ରାଜକନିକା ବ୍ଲକ୍ରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ କାଶୀରାୟ ମାଝୀ ଏବଂ ଦାସା ମୁର୍ମୁ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର୍ଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅଭିଯୋଗ ପରେ ତଦନ୍ତ, ପ୍ରମାଣ ମିଳିବା ପରେ ଆକ୍ସନ୍
ଚାଲିଥିବା ବନ୍ୟା ସଙ୍କଟ ସମୟରେ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପରିଚାଳନାରେ ଏହି ଦୁଇ ଅଧିକାରୀ ନିଷ୍କ୍ରିୟ ରହିବା ସହ ଅବହେଳା କରିଥିବା ନେଇ ସ୍ଥାନୀୟ ଅଞ୍ଚଳରୁ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଗୁରୁତର ସହ ନେଇ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ଅବହେଳାର ପ୍ରମାଣ ମିଳିବା ପରେ ସେମାନଙ୍କ ବିରୋଧରେ ଏହି ଦୃଢ଼ ନିଷ୍ପତ୍ତି ନିଆଯାଇଛି।