ମୟୂରଭଞ୍ଜ : ଶିମିଳିପାଳରୁ ଆସିଛି ଖୁସିର ଖବର । ବାଘୁଣୀ 'ଜିନ୍ନତ୍' ବେକରୁ କଢାଯିବ ରେଡିଓ କଲର। ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିବା ବାଘୁଣୀ 'ଜିନ୍ନତ୍' ଶିମିଳିପାଳ ଜଙ୍ଗଲରେ ନିଜର ସ୍ଥାନ ସଫଳତାର ସହ ସ୍ଥାପନ କରିବା ସହ ୪ ସନ୍ତାନ ଜନ୍ମ କରିଛି । ପ୍ରାରମ୍ଭିକ ସମୟରେ ଶିମିଳିପାଳ ଜଙ୍ଗଲ ଛାଡ଼ି ପଳାଇବାକୁ ଚେଷ୍ଟା କରିଥିଲା । ପରେ ତାକୁ ସୁରକ୍ଷିତ ଉଦ୍ଧାର କରି ପୁଣି ଶିମିଳିପାଳ ଅଣାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଏହାର ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟବହାର ହେଉଥିବା ରେଡ଼ିଓ କଲରକୁ ହଟାଇବାକୁ ନିଷ୍ପତ୍ତି ନେଇଛି ।
ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନେନୀଙ୍କ ସୂଚନା ପ୍ରଦାନ କରି କହିଛନ୍ତି ଯେ ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ବାଘୁଣୀ ଜିନ୍ନତ୍ ବେକରୁ ରେଡ଼ିଓ କଲରକୁ ବାହାର କରାଯିବ ।ଏହି ରେଡ଼ିଓ କଲରକୁ କୌଣସି ପ୍ରକାର ଟ୍ରାଙ୍କୁଲାଇଜେସନ୍ ନକରି ଦୂରରୁ ଟେକ୍ନୋଲୋଜି ମାଧ୍ୟମରେ କରାଯିବ ବୋଲି ଜଣାପଡ଼ିଛି । ବାଘୁଣୀ ଏବଂ ତା'ର ଛୁଆମାନେ ସଫଳତାର ସହ ଜଙ୍ଗଲରେ ବଢୁଥିବାରୁ ଏବଂ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହାସଲ ହୋଇସାରିଥିବାରୁ ଏହାକୁ ନିୟମିତ ଟ୍ରାକ୍ କରିବା ଆବଶ୍ୟକ ନାହିଁ ବୋଲି ବନ୍ୟପ୍ରାଣୀ ଅଧିକାରୀମାନେ ମତ ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟ ବାଘ ସଂରକ୍ଷଣର ସଫଳତା ପରେ ଶିମିଳିପାଳ ବନ ବିଭାଗ ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରୀୟ ଭାରତରୁ ଆଉ ଏକ ଯୋଡ଼ା ବାଘ ଆଣିବା ପାଇଁ ଯୋଜନା କରୁଛି । ଏହା ବ୍ୟତୀତ ସାତକୋଶିଆରେ ମଧ୍ୟ ବାଘ ପୁନଃପ୍ରବେଶ କାର୍ଯ୍ୟକ୍ରମକୁ ପୁନଃଜୀବିତ କରିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି । ରାଜ୍ୟରେ ବାଘ ବଂଶବୃଦ୍ଧି ପାଇଁ ଏସବୁ ପଦକ୍ଷେପଗୁଡ଼ିକ ଅତ୍ୟନ୍ତ ପ୍ରଶଂସନୀୟ ସାବ୍ୟସ୍ତ ହେଉଛି ।