ଭୁବନେଶ୍ୱର: ଏଣିକି କଲେଜ କ୍ୟାଣ୍ଟିନରେ ମିଳିବନି ତେଲ ଛଣା ଖାଦ୍ୟ । ପୁରୀ ଓ ବରା ହୋଇଯିବ ସାତ ସପନ । ଖାଦ୍ୟ ପ୍ରସ୍ତୁତିରେ ରନ୍ଧନ ତେଲର ହ୍ରାସ କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ନିଷ୍ପତ୍ତି ନେଇଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ । ଏଥିପାଇଁ ସମସ୍ତ ସରକାରୀ ଏବଂ ଅଣ-ସରକାରୀ ସହାୟତା ପ୍ରାପ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି ବିଭାଗ ।
ଉଚ୍ଚଶିକ୍ଷା ବିଭାଗ କହିଛି ଯେ କୋଭିଡ୍ ମହାମାରୀ ପରଠାରୁ ବିଶ୍ୱ ବାରମ୍ବାର ଯୋଗାଣ ଶୃଙ୍ଖଳାରେ ବାଧା ଏବଂ ସଙ୍କଟର ସମ୍ମୁଖୀନ ହେଉଛି । ୟୁକ୍ରେନରେ ସଂଘର୍ଷର ପରିଣାମ ସ୍ୱରୂପ ଖାଦ୍ୟ, ସାର ଏବଂ ଇନ୍ଧନର ଯୋଗାଣରେ ସମସ୍ୟା ଉତ୍ପନ୍ନ ହେଉଛି । ସେହିପରି ଇରାନରେ ଲାଗି ରହିଥିବା ଯୁଦ୍ଧ ସ୍ଥିତି ମଧ୍ୟ ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟକୁ ଆହୁରି କଠିନ କରିଦେଇଛି । ବିଶ୍ୱର କୌଣସି ଗୋଟିଏ ଦେଶ ଏହି ଆର୍ଥିକ ସଙ୍କଟ ପ୍ରଭାବରୁ ମୁକ୍ତି ପାଇ ନାହିଁ । ଇନ୍ଧନ ଚାହିଦା ଏବଂ ଖାଇବା ତେଲ ହ୍ରାସ କରିବା ପାଇଁ ଅନେକ ଦେଶ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଭାରତ ସରକାର ମଧ୍ୟ ଏହି ଦୀର୍ଘକାଳୀନ ସଙ୍କଟର ସମ୍ମୁଖୀନ ହେଉଛି।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଭାରତର ନାଗରିକମାନଙ୍କୁ ଭାରତ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛି ସେଥିରେ ଛୋଟ ଛୋଟ ଯୋଗଦାନ ଦେବାକୁ ସାର୍ବଜନୀନ ନିବେଦନ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପ୍ରଥମ ପଦକ୍ଷେପ ନେଇଛି । ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ରନ୍ଧନ ତେଲର ବ୍ୟବହାର ହ୍ରାସ କରିବାକୁ କହିଛି ।
ଆପଣଙ୍କ ଶିକ୍ଷାନୁଷ୍ଠାନରେ ଚାଲୁଥିବା ହଷ୍ଟେଲ / କ୍ୟାଣ୍ଟିନଗୁଡ଼ିକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ରନ୍ଧନ ତେଲର ବ୍ୟବହାର ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି । ଜଳଖିଆରେ ପୁରୀ, ବରା ଏବଂ ଆଳୁ ଚପ ଭଳି ଅଧିକ ତୈଳଯୁକ୍ତ ଖାଦ୍ୟକୁ ଖାଧ୍ୟ ତାଲିକାର ହଟାଇବାକୁ କୁହାଯାଇଛି । ପୁଷ୍ଟିସାର କମ ନ କରି ତୈଳଯୁକ୍ତ ବା ତେଲ ଭାଜି ଖାଦ୍ୟ କମ କରିବେ । ପାମ୍, ସୂର୍ଯ୍ୟମୁଖୀ କିମ୍ବା ସୋୟାବିନ୍ ତେଲ ପରିବର୍ତ୍ତେ ପାରମ୍ପରିକ ଘିଅ, ସୋରିଷ ତେଲ ଏବଂ ଚିନାବାଦାମ ତେଲର ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିବାକୁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ଖାଲି କଲେଜ କ୍ୟାଣ୍ଟିନରେ ନୁହେଁ ଛାତ୍ରଛାତ୍ରୀ ଯଥା ଏନଏସ୍ଏସ୍, ୱାଇଆରସି ଏବଂ ସ୍ୱେଚ୍ଛା ସେବୀମାନେ ନିଜ ପରିବାରରେ ଦୈନନ୍ଦିନ ରୋଷେଇରେ ରିଫାଇନ୍ ତେଲ କମ୍ ବ୍ୟବହାର କରିବାକୁ ମଧ୍ୟ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ କୁହାଯାଇଛି ।