ପୁରୀ: ଅପରାଧିକ ରେକର୍ଡ ଥିବା ବ୍ୟକ୍ତିମାନଙ୍କ ପାଇଁ କଡ଼ା ସତର୍କବାଣୀ। ଶ୍ରୀମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ପକ୍ଷରୁ Facial Recognition System ଓ Fingerprint Verification ମାଧ୍ୟମରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି।
ଏହି ହାଇଟେକ୍ ଅଭିଯାନରେ ସନ୍ଦେହଜନକ ବ୍ୟକ୍ତିଙ୍କ ମୁହଁ ସ୍କାନ କରି ସେମାନଙ୍କ ପରିଚୟ ଓ ଉପଲବ୍ଧ ଅପରାଧିକ ରେକର୍ଡ ଯାଞ୍ଚ କରାଯାଉଛି। ଆବଶ୍ୟକ ସ୍ଥଳରେ ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ ମଧ୍ୟ ପରିଚୟ ସତ୍ୟାପନ କରୁଛି ପୋଲିସ।
ପୋଲିସ ସୂଚନା ଅନୁସାରେ, ପୁରୀରେ ରହୁଥିବା କିମ୍ବା ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟରୁ ଆସି ଏଠାରେ ବସବାସ କରୁଥିବା ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏହାଦ୍ୱାରା ଚୋରୀ, ଛିନତାଇ ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ଅପରାଧ ରୋକିବାକୁ ପଦକ୍ଷେପ ନିଆଯାଉଛି। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଟେକ୍ନୋଲୋଜି ଆଧାରିତ ଯାଞ୍ଚକୁ ଅଧିକ ଜୋରଦାର କରାଯାଇଛି।