ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଝଟକା ସାମ୍ନାକୁ ଆସିଛି। ଆଗକୁ ପର୍ବପର୍ବାଣୀ ସିଜିନ୍ ଆସୁଥିବା ବେଳେ ମୁମ୍ବାଇରେ କ୍ଷୀର ଦର ବଢ଼ିବାକୁ ଯାଉଛି। ମୁମ୍ବାଇ ମିଲ୍କ ପ୍ରଡ୍ୟୁସର୍ସ ଆସୋସିଏସନ୍ (MMPA) ପକ୍ଷରୁ କ୍ଷୀରର ହୋଲସେଲ୍ ମୂଲ୍ୟରେ ସିଧାସଳଖ ୯ ଟଙ୍କା ବୃଦ୍ଧି କରାଯାଇଛି।
ମୁମ୍ବାଇ ମିଲ୍କ ପ୍ରଡ୍ୟୁସର୍ସ ଆସୋସିଏସନ୍ (MMPA) ର ନିଷ୍ପତ୍ତି ଅନୁସାରେ, ଆସନ୍ତା ୨୦୨୬ ସେପ୍ଟେମ୍ବର ୧ ଏହି ନୂତନ ଦର ଲାଗୁ ହେବ। ବର୍ତ୍ତମାନ ହୋଲସେଲ୍ ବଜାରରେ କ୍ଷୀରର ଦର ୯୩ ଟଙ୍କା ପ୍ରତି ଲିଟର ରହିଥିବା ବେଳେ, ଏହା ୯ ଟଙ୍କା ବୃଦ୍ଧି ପାଇ ସିଧାସଳଖ ୧୦୨ ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ପାଇବ। ସବୁଠୁ ବଡ଼ କଥା ହେଲା, ଏହି ସଂଶୋଧିତ ଦର ଆସନ୍ତା ୨୦୨୭ ମସିହା ଫେବୃଆରୀ ୨୮ ପର୍ଯ୍ୟନ୍ତ ବଳବତ୍ତ ରହିବ।
କ୍ଷୀର ଦର ବୃଦ୍ଧି ନେଇ ସ୍ପଷ୍ଟୀକରଣ ଦେଇ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ହେବ ଗାଈ ଓ ମଇଁଷିଙ୍କ ଦାମ ବୃଦ୍ଧି ପାଇବା ସହ ସେମାନଙ୍କ ଖାଦ୍ୟ ସାମଗ୍ରୀ ମଧ୍ୟ ମହଙ୍ଗା ହୋଇଛି। ପଶୁମାନଙ୍କୁ ଦିଆଯାଉଥିବା ଦାନା, ଗୋ ଖାଦ୍ୟ ଭଳି ପୁଷ୍ଟିକର ଆହାରର ମୂଲ୍ୟ ପ୍ରାୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଛି। ଏଭଳି ପରିସ୍ଥିତିରେ ଉତ୍ପାଦନ ଖର୍ଚ୍ଚ ବହୁମାତ୍ରାରେ ବଢ଼ିଯାଇଥିବାରୁ ଦର ବଢ଼ାଇବା ବାଧ୍ୟତାମୂଳକ ହୋଇପଡ଼ିଥିଲା।
ଏହି ମୂଲ୍ୟ ବୃଦ୍ଧି ମୁଖ୍ୟତଃ ହୋଲସେଲ୍ କ୍ଷୀର ଦର ଉପରେ ପ୍ରଯୁଜ୍ୟ। ତେଣୁ ସ୍ଥାନୀୟ ଖୁଚୁରା ବିକ୍ରେତା ଏବଂ ପରିବହନ ଖର୍ଚ୍ଚକୁ ମିଶାଇ ସାଧାରଣ ଗ୍ରାହକଙ୍କ ପାଇଁ ରିଟେଲ୍ ବଜାରରେ ଏହାର ଦର ଆହୁରି ଅଧିକ (ପ୍ରାୟ ୧୧୫ରୁ ୧୨୫ ଟଙ୍କା କିମ୍ବା ଅଧିକ) ହୋଇପାରେ ବୋଲି ଆକଳନ କରାଯାଉଛି। ଅବଶ୍ୟ, ଏହା ସିଧାସଳଖ ବ୍ରାଣ୍ଡେଡ୍ ପ୍ୟାକେଟ୍ କ୍ଷୀର ଉପରେ କିପରି ପ୍ରଭାବ ପକାଇବ, ତାହା ସ୍ଥାନୀୟ କମ୍ପାନୀମାନଙ୍କ ନୀତି ଉପରେ ନିର୍ଭର କରେ।
ସେପ୍ଟେମ୍ବର ମାସରୁ ଗଣେଶୋତ୍ସବ, ନବରାତ୍ରୀ, ଦୀପାବଳି ଭଳି ବଡ଼ ବଡ଼ ପର୍ବପର୍ବାଣୀ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଘରୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ଏବଂ ମିଠା ଦୋକାନମାନଙ୍କରେ କ୍ଷୀର ଏବଂ ଏହାର ପ୍ରସ୍ତୁତ ସାମଗ୍ରୀର ଚାହିଦା ପ୍ରାୟ ୩୫ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଠିକ୍ ଫେଷ୍ଟିଭ୍ ସିଜିନ୍ ଆଗରୁ କ୍ଷୀର ଦର ଏଭଳି ଭାବେ ବଢ଼ିବା କାରଣରୁ ମଧ୍ୟବିତ୍ତ ପରିବାରଗୁଡ଼ିକର ମାସିକ ରୋଷେଇ ଘର ବଜେଟ୍ ଗଭୀର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି।