ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ମଧ୍ୟରେ ଓଡ଼ିଶା ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବରଗଡ଼ ଜିଲ୍ଲା ଜମ୍ପାଲି ଗାଁର ଏକ ପରିବାରର ତିନିଜଣ ସଦସ୍ୟ ନିଖୋଜ ଥିବା ସୂଚନା ମିଳିଛି।
ନିଖୋଜ ଥିବାମାନେ ହେଲେ ଗୁନ୍ନମ ଜୟକୃଷ୍ଣ, ତାଙ୍କ ପତ୍ନୀ ଗୁନ୍ନମ ସାଇ ବିନ୍ଦୁ କୁମାରୀ ଓ ସେମାନଙ୍କର ୨ ବର୍ଷର କନ୍ୟା। ଜୟକୃଷ୍ଣ ନେପାଳର ଏକ ଜଳବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ ଥିଲେ ଏବଂ ପରିବାର ସହ ଭୋଟେ କୋଶି ନଦୀ ନିକଟସ୍ଥ ଅଞ୍ଚଳରେ ରହୁଥିଲେ।
ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟାରେ ସେମାନେ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି। ଏହା ସହିତ ନେପାଳ ବନ୍ୟାରେ ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୫କୁ ବଢ଼ିଛି। ଏହା ପୂର୍ବରୁ ଖୋର୍ଦ୍ଧାର ଜଣେ ଦମ୍ପତି ଓ ବାରିପଦାର ଜଣେ ମହିଳାଙ୍କ ସନ୍ଧାନ ମିଳିନଥିବା ଖବର ଆସିଥିଲା।
ନେପାଳ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ଭାରତର ବିଦେଶ ମନ୍ତ୍ରଣାଳୟ ମିଳିତ ଭାବେ ଉଦ୍ଧାର ଓ ଖୋଜାଖୋଜି ଅଭିଯାନ ଚଳାଇଛନ୍ତି। ରାସୁୱା, ନୁୱାକୋଟ, ଧାଦିଙ୍ଗ ଓ ଗୋରଖା ଜିଲ୍ଲାରେ ଏପର୍ଯ୍ୟନ୍ତ ଶତାଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଏପଟେ ବରଗଡ଼ରେ ଜୟକୃଷ୍ଣଙ୍କ ପରିବାର ଲୋକେ ଚିନ୍ତାରେ ଦିନ କାଟୁଥିବା ବେଳେ ଓଡ଼ିଶା ସରକାର ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି।