ଭୁବନେଶ୍ୱର: ରକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ୫ମ କିସ୍ତି ଟଙ୍କା ଜାରି କରିଛନ୍ତି। ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ପଠାଯାଇଛି।
ନୟାଗଡ଼ ଜିଲ୍ଲାର ଲାଠିପଡ଼ାଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ମ କିସ୍ତି ପ୍ରଦାନର ଶୁଭାରମ୍ଭ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ରାଜ୍ୟ କ୍ୟାବିନେଟର ଅନେକ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏଥରର କିସ୍ତିରେ ୨ ଲକ୍ଷ ୨୧ ହଜାର ୫୪ ଜଣ ମହିଳା ପ୍ରଥମଥର ପାଇଁ ସୁଭଦ୍ରା ସହାୟତା ପାଇଛନ୍ତି। ପୂର୍ବରୁ ବଞ୍ଚିତ ଥିବା ଏହି ଯୋଗ୍ୟ ହିତାଧିକାରୀମାନଙ୍କୁ ପୂର୍ବର ଚାରିଟି କିସ୍ତି ସହ ବର୍ତ୍ତମାନର କିସ୍ତି ମିଶାଇ ଏକକାଳୀନ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ୫ମ କିସ୍ତି ବାବଦରେ ୫,୧୬୦ କୋଟି ଟଙ୍କାରୁ ଅଧିକ ଅର୍ଥ ହିତାଧିକାରୀଙ୍କ ଖାତାକୁ ସ୍ଥାନାନ୍ତର କରାଯାଇଛି। ସୁଭଦ୍ରା ଯୋଜନାରେ ଜଣେ ଯୋଗ୍ୟ ମହିଳା ପାଞ୍ଚ ବର୍ଷରେ ମୋଟ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପାଇବାର ବ୍ୟବସ୍ଥା ରହିଛି।