ଭୁବନେଶ୍ୱର: ରକ୍ଷାବନ୍ଧନର ପବିତ୍ର ଅବସରରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଅର୍ଥ ସହାୟତା ବିତରଣ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ରାଜ୍ୟର କୋଟିଏରୁ ଅଧିକ ମହିଳା ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଅର୍ଥ ସିଧାସଳଖ ହସ୍ତାନ୍ତର କରାଯାଇଥିଲା। ରାଖୀ ଉତ୍ସବ ଓ ମହିଳା ସଶକ୍ତିକରଣର ବାର୍ତ୍ତା ଏକାସାଙ୍ଗରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା।
ରାଖୀ ବାନ୍ଧିବା ପରେ ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି ସୁରମା ପାଢ଼ୀ ଓ ପ୍ରଭାତୀ ପରିଡ଼ାଙ୍କ ସ୍ନେହ, ଶୁଭେଚ୍ଛା ଓ ଭାଇ-ଭଉଣୀର ପବିତ୍ର ସମ୍ପର୍କ ପାଇଁ କୃତଜ୍ଞତା ଜଣାଇଥିଲେ।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ‘ସୁଭଦ୍ରା’ର ସମସ୍ତ ମହିଳା ହିତାଧିକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା। ଏହା ରାଜ୍ୟର ମହିଳା ଓ ସରକାରଙ୍କ ମଧ୍ୟରେ ବିଶ୍ୱାସ ଓ ସୁରକ୍ଷାର ବନ୍ଧନର ପ୍ରତୀକ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ଜଣେ ମହିଳା ସଶକ୍ତ ହେଲେ ସମଗ୍ର ପରିବାର ସଶକ୍ତ ହୁଏ। ‘ସୁଭଦ୍ରା’ ଯୋଜନା ଲକ୍ଷାଧିକ ମହିଳାଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ସ୍ୱାବଲମ୍ବନର ନୂଆ ଦିଗ ଖୋଲିଛି।” ସେ ଆହୁରି କହିଥିଲେ, “ଗାଁଠୁ ସହର, ଆଜି ନାରୀଶକ୍ତିର ବିଜୟଗାଥା, ଓଡ଼ିଶା ଇତିହାସରେ ସ୍ୱାବଲମ୍ବନର ନୂଆ ଅଧ୍ୟାୟ ହେଉଛି ‘ସୁଭଦ୍ରା”