ପୁରୀ : ଶ୍ରୀମନ୍ଦିରରେ ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ପାଳିତ ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା। ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଥିଲେ। ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କ ସିଂହାରୀ ସେବକମାନେ ଲାଗି କରାଇଛନ୍ତି। ସେହିପରି ଆଜି ପ୍ରଭୁ ସୁଦର୍ଶନଙ୍କୁ ଚାରି ଆଶ୍ରମ ବିଜେ କରାଯାଇ ମାର୍କଣ୍ଡ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଛି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାକ୍ଷୀ ପିନ୍ଧାର ଏକ ସ୍ୱତନ୍ତ୍ର ଏବଂ ସମୃଦ୍ଧ ପରମ୍ପରା ରହିଆସିଛି। ପାଟରା ସେବକମାନେ ଅତ୍ୟନ୍ତ ନିଷ୍ଠା, ଶ୍ରଦ୍ଧା ଓ ପବିତ୍ରତାର ସହ ମହାପ୍ରଭୁଙ୍କ ପାଇଁ ଏହି ବିଶାଳ ରାକ୍ଷୀ ପ୍ରସ୍ତୁତ କରିଥିଲେ। କାଳିଆ ସାଆନ୍ତଙ୍କ ପାଇଁ ନାଲି ଓ ହଳଦିଆ ପାଟକପଡ଼ାରେ ରାକ୍ଷୀ ତିଆରି ହୋଇଥିବା ବେଳେ ବଡ଼ ଠାକୁର ବଳଭଦ୍ରଙ୍କ ପାଇଁ ବାସୁକୀ ନାଗର ପ୍ରତୀକ ସ୍ୱରୂପ ଧଳା ଓ ନୀଳ ରଙ୍ଗର ପାଟରେ ସୁସଜ୍ଜିତ ରାକ୍ଷୀ ନିର୍ମାଣ କରାଯାଇଥିଲା। ଏହି ରାକ୍ଷୀଗୁଡ଼ିକର ଆକାର ଓ କାରୁକାର୍ଯ୍ୟ ଏତେ ବିଶାଳ ଯେ ଏହାକୁ ବିଶ୍ୱର ସବୁଠାରୁ ବଡ଼ ରାକ୍ଷୀ ଭାବେ ବିବେଚନା କରାଯାଇଥିଲା।
ରାକ୍ଷୀ ପ୍ରସ୍ତୁତି ଶେଷ ହେବା ପରେ ଶ୍ରୀମନ୍ଦିରର ବିଧି ମୁତାବକ ଏହାକୁ ସଂସ୍କାର କରାଯାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା। ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ତଥା ଗହ୍ମା ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପାଦନ ହୋଇଛି। ଭଦ୍ରା ଦୋଷ ଏବଂ ତିଥି ନକ୍ଷତ୍ରର ବିଶେଷ ଗଣନା ଅନୁସାରେ ସାଧାରଣ ଲୋକମାନେ ଗୁରୁବାର ନିଜ ନିଜ ଘରେ ରାକ୍ଷୀ ବାନ୍ଧି ଭାଇ-ଭଉଣୀର ଏହି ପବିତ୍ର ପର୍ବକୁ ପାଳନ କରିଥିଲେ, ଯେଉଁଥିପାଇଁ ବଜାରଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।