ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକସଭାରେ ପାରିତ ହୋଇଥିବା ଖାଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) (MMDR) ସଂଶୋଧନ ବିଲ୍-୨୦୨୬କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ବିଲ୍କୁ ବିରୋଧ କରି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ବିଜେପି ସାଂସଦଙ୍କୁ ଏକ ଚିଠି ଲେଖିଛନ୍ତି। ନବୀନ ସାଂସଦମାନଙ୍କୁ ଦଳୀୟ ଆଭିମୁଖ୍ୟରୁ ଉପରକୁ ଉଠି ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଜଣାଇଛନ୍ତି।
ଗତ ଅଗଷ୍ଟ ୧୩ ତାରିଖରେ ଲୋକସଭାରେ ଏହି ସଂଶୋଧନ ବିଲ୍ ପାରିତ ହେବା ଘଟଣାକୁ ଓଡ଼ିଶା ଇତିହାସରେ ଏକ ‘କଳା ଦିନ’ ଭାବେ ନବୀନ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହି ବିଲ୍ ଦ୍ୱାରା ଓଡ଼ିଶାର ନିଜସ୍ୱ ଖଣିଜ ସମ୍ପଦ ଉପରୁ ରାଜ୍ୟର ସାମ୍ବିଧାନିକ ଓ ଆର୍ଥିକ ଅଧିକାରକୁ ଛଡ଼ାଇ ନିଆଯାଇଛି।
ବାର୍ଷିକ ୧୨ ହଜାର କୋଟିରୁ ଅଧିକ କ୍ଷତି ଆଶଙ୍କା
ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ MMDR ଆଇନରେ କରାଯାଇଥିବା ସଂଶୋଧନ ହେତୁ ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ସଙ୍କୁଚିତ ହେବ। ଏହା ଦ୍ୱାରା ଓଡ଼ିଶା ପ୍ରତିବର୍ଷ ପ୍ରାୟ ୧୨,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ହରାଇବ। ଫଳରେ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ କଲ୍ୟାଣକାରୀ ଯୋଜନାଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।
ନବୀନ ଲେଖିଛନ୍ତି, “ଦଳ କୌଣସି ବି ହୋଇଥାଉ, ରାଜ୍ୟର ସ୍ୱାର୍ଥ ସବୁବେଳେ ପ୍ରଥମ।” ଓଡ଼ିଶାରୁ ନିର୍ବାଚିତ ବିଜେପି ସାଂସଦମାନେ ନିଜ ସ୍ୱର ଉତ୍ତୋଳନ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ଏବଂ ଏହି ଜନବିରୋଧୀ MMDR ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ଜଣାନ୍ତୁ।
ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାର ଖଣିଜ ସମ୍ପଦ ଏଠାକାର ଜନସାଧାରଣଙ୍କର। ଧୂଳି, ଧୂଆଁ ଓ ପ୍ରଦୂଷଣ ଓଡ଼ିଶାବାସୀ ସହିବେ ଆଉ ରାଜସ୍ୱର ଫାଇଦା କେନ୍ଦ୍ର ନେବ, ତାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ତେଣୁ ଓଡ଼ିଶାର ଆର୍ଥିକ ସ୍ୱାୟତ୍ତତା ରକ୍ଷା ପାଇଁ ସମସ୍ତ ସାଂସଦ ଦଳୀୟ ସୀମାରୁ ଉପରକୁ ଉଠି ଓଡ଼ିଶା ପାଇଁ ଠିଆ ହେବା ଆବଶ୍ୟକ।