ଭୁବନେଶ୍ୱର: ବନ୍ୟା ପରିସ୍ଥିତି ଓ ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ଯାଜପୁର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ଆଜି (୨୯ ଅଗଷ୍ଟ) ମୋଟ ୬୬ଟି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ସୁଗମ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲରେ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ଦୁଇ ବ୍ଲକର ୫୮ଟି ସ୍କୁଲ ଆଜି ବନ୍ଦ ରହିବାବେଳେ, ଜିଲ୍ଲାର ଅନ୍ୟ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ଚାଲିବ।
ପ୍ରଶାସନ ସ୍ପଷ୍ଟ କରିଛି ଯେ, ବନ୍ଦ ରହୁଥିବା ସ୍କୁଲଗୁଡ଼ିକ ଆବଶ୍ୟକ ପଡ଼ିଲେ ଉଦ୍ଧାର ଓ ପୁନର୍ବାସ କେନ୍ଦ୍ର ଭାବେ ବ୍ୟବହାର କରାଯିବ। ସେଥିପାଇଁ ସ୍କୁଲ ପରିସର ଖୋଲା ରହିବ ଓ ପ୍ରଶାସନିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖାଯିବ।
ସେହିପରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚାରିଟି ପଞ୍ଚାୟତର ୮ଟି ସ୍କୁଲ ମଧ୍ୟ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମ ଯୋଗୁଁ ଆଜି ବନ୍ଦ ରହିବ। ଜଳ ନିଷ୍କାସନ, ସଫେଇ ଓ ଆବଶ୍ୟକ ମରାମତି କାର୍ଯ୍ୟ ଚାଲିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଅଭିଭାବକମାନଙ୍କୁ ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ବିଭାଗର ପରବର୍ତ୍ତୀ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।