ଭୁବନେଶ୍ୱର: ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) (MMDR) ସଂଶୋଧନ ବିଲ୍-୨୦୨୬କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର କଡ଼ା ଜବାବ ଦେଇଛି ଭାରତୀୟ ଜନତା ପାର୍ଟି। ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରଥମେ ଦେଶ ଓ ମାଟି, ତା’ପରେ ପାର୍ଟି ଏବଂ ସବୁଶେଷରେ ବ୍ୟକ୍ତି। ଯେତେବେଳେ ରାଜ୍ୟ କିମ୍ବା ମାଟିର ସ୍ୱାର୍ଥର କଥା ଆସେ, ସେତେବେଳେ ବିଜେପି ସବୁବେଳେ ସଚେତନ ହୋଇ କାର୍ଯ୍ୟ କରେ। ଏଥିପାଇଁ ନବୀନ ବାବୁଙ୍କଠାରୁ ଉପଦେଶ ନେବାର କୌଣସି ଆବଶ୍ୟକତା ଆମର ନାହିଁ।
“ରାଜ୍ୟର କୌଣସି କ୍ଷତି ହେବ ନାହିଁ, ବୃଦ୍ଧି ପାଇବ ରାଜସ୍ୱ”
ବିଜେଡିର କ୍ଷତି ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଯେ, ଏହି ସଂଶୋଧିତ ଆଇନ ଦ୍ୱାରା ଓଡ଼ିଶାର ସ୍ୱାର୍ଥ ଆଦୌ ବଳି ପଡ଼ିବ ନାହିଁ କିମ୍ବା ରାଜ୍ୟର କୌଣସି କ୍ଷତି ହେବ ନାହିଁ। ୨୦୧୪ ମସିହା ପୂର୍ବରୁ କୌଣସି ଲାଭ ହେଉନଥିବା ବେଳେ, ପରବର୍ତ୍ତୀ ସଂସ୍କାର ଯୋଗୁଁ ରାଜ୍ୟ ଆଜି ୫୦ ହଜାର କୋଟି ଟଙ୍କାର ଲାଭ ପାଉଛି। ଗୋଟିଏ ଦେଶରେ ଗୋଟିଏ ଆଇନ ରହିବା ଦ୍ୱାରା ବିକାଶର ଗତି ତ୍ୱରାନ୍ୱିତ ହେବ। ଏହି ଆକ୍ଟ ଦ୍ୱାରା ଉତ୍ପାଦନ, ଉତ୍ପାଦନଶୀଳତା ଏବଂ ବିପଣନ କ୍ଷେତ୍ରରେ କୌଣସି ହ୍ରାସ ଘଟିବ ନାହିଁ।
“ନବୀନ ବାବୁ ଆଗେ ଆଇନକୁ ଭଲ ଭାବେ ଅଧ୍ୟୟନ କରନ୍ତୁ”
ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି କହିଛନ୍ତି, “ରାଜ୍ୟର ସ୍ୱାର୍ଥ ବଳି ପଡୁଛି କି ନାହିଁ, ସେ ନେଇ ମତାମତ ରଖିବା ପୂର୍ବରୁ ନବୀନ ବାବୁ MMDR ଆକ୍ଟକୁ ଭଲ ଭାବେ ପଢ଼ନ୍ତୁ ଓ ଅଧ୍ୟୟନ କରନ୍ତୁ।” ବିରୋଧୀ ଦଳ ଭାବେ ସେମାନେ ବିରୋଧ କରିବା ତାଙ୍କର କାମ, କିନ୍ତୁ ଏହି ଆକ୍ଟଟି ରାଜ୍ୟ ଏବଂ ଦେଶ ଉଭୟଙ୍କ ସ୍ୱାର୍ଥ ଓ ପ୍ରଗତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।