ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ "Prayers for Nepal" ବାର୍ତ୍ତା ସହ ଏକ ବିଶେଷ ବାଲୁକା କଳା ନିର୍ମାଣ କରିଛନ୍ତି । ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ ୬୦୦ରୁ ଅଧିକ ଜୀବନ ଯାଇଥିବା ବେଳେ, ହଜାର ହଜାର ଲୋକ ଏବେ ବି ପ୍ରଭାବିତ ହୋଇଛନ୍ତି। ପ୍ରତିଦିନ ନିଖୋଜ ଓ ମୃତକଙ୍କ ସଂଖ୍ୟା ବଢିଚାଲିଛି । ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ପ୍ରଭାବିତ ବ୍ୟକ୍ତିଙ୍କୁ ବାଲୁକା ଚିତ୍ରକଳାରେ ସମବେଦନା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସାରା ବିଶ୍ୱବାସୀଙ୍କୁ ନେପାଳ ବିପନ୍ନଙ୍କ ପ୍ରତି ସହାୟତାର ହାତ ବଢ଼ାଇବା ଉଚିତ ବୋଲି ସେ ବାଲୁକାକଳା ମାଧ୍ଯମରେ ବାର୍ତ୍ତା ଜଣାଇଛନ୍ତି ।
ପ୍ରାୟ ୨୦ ଫୁଟ ଓସାର ଏବଂ ୫ ଫୁଟ ଉଚ୍ଚତାର ଏହି ବାଲୁକା କଳାଟି ସହାନୁଭୂତି, ଆଶା ଏବଂ ମାନବିକତାର ଏକ ଶକ୍ତିଶାଳୀ ବାର୍ତ୍ତା ବହନ କରୁଛି । ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ବ୍ୟାପକ କ୍ଷତି ଘଟିଛି । ଏହି କଳାକୃତି ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ନେପାଳବାସୀଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ପ୍ରଭାବିତ ପରିବାରଗୁଡ଼ିକ ପ୍ରତି ସମବେଦନା ଜଣାଇ କହିଛନ୍ତି, " ବନ୍ୟା ଦ୍ୱାରା ପ୍ରଭାବିତ ନେପାଳବାସୀଙ୍କ ପାଇଁ ମୋର ହୃଦୟରୁ ପ୍ରାର୍ଥନା । ଏହି ବାଲୁକା କଳା ମାଧ୍ୟମରେ ମୁଁ ମୋର ସମବେଦନା ଜଣାଇବା ସହ ସମସ୍ତଙ୍କୁ ମନେ ପକାଇବାକୁ ଚାହେଁ ଯେ , କଠିନ ସମୟରେ ମାନବିକତା ସହ ଏକାଠି ଠିଆ ହେବା ଦରକାର । ମୁଁ ନେପାଳବାସୀଙ୍କ ସୁରକ୍ଷା, ଶକ୍ତି ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି । ନେପାଳକୁ ସାରା ବିଶ୍ୱବାସୀ ସହଯୋଗର ହାତ ବଢ଼ାଇବା ପାଇଁ ମୁଁ ବିଶ୍ୱବାସୀଙ୍କୁ ଅନୁରୋଧ କରୁଛି ।"