ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଦୁବାଇ ଗସ୍ତ କରିବେ । ରାଜ୍ୟକୁ ବିଦେଶୀ ପୁଞ୍ଜିନିବେଶ (FDI) ଆକୃଷ୍ଟ କରିବା ଏବଂ ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ହବ୍ ଭାବେ ଗଢ଼ିତୋଳିବା ଏହି ଗସ୍ତର ମୂଳ ଲକ୍ଷ୍ୟ ରହିଛି।
ସୂଚନା ଅନୁଯାୟୀ। ସେପ୍ଟେମ୍ବର ୮ ଓ ୯ ତାରିଖରେ ଦୁବାଇରେ ଆୟୋଜିତ ହେବାକୁ ଥିବା 'ଓଡ଼ିଶା ଇନଭେଷ୍ଟର୍ସ ମିଟ୍' ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ସେଠାରେ ସେ ବିଶ୍ଵସ୍ତରୀୟ ଶିଳ୍ପପତି ଓ ନିବେଶକମାନଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଦୁବାଇ ଗସ୍ତ କରିବେ। ଓଡ଼ିଶାରେ ମେଟାଲ, ପେଟ୍ରୋକେମିକାଲ୍ସ, ଗ୍ରୀନ ଏନର୍ଜି, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ଥିବା ସୁଯୋଗ ବିଷୟରେ ଏହି ମିଟ୍ରେ ଉପସ୍ଥାପନ କରାଯିବ। ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।