ପୋଖରୀକୁ ଶୌଚ ହେବାକୁ ଯାଇ ଭାରସ୍ୟାମ ହରେଇ ବୁଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡାମ୍ବିଳା ପଞ୍ଚାୟତର ନୂଆଗାଁ ଗ୍ରାମରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି । ମୃତକ ଜଣକ ହେଲେ ରଙ୍ଗାଧର ମହାନ୍ତି (୬୧) ।
ସୂଚନା ଅନୁଯାୟୀ ରଙ୍ଗାଧର ଗ୍ରାମ ପୋଖରୀକୁ ଶୌଚ ହେବାକୁ ଯାଇ ଭାରସ୍ୟାମ ହରେଇ ପୋଖରୀରେ ବୁଡ଼ି ଯାଇଥିଲେ l ପରିବାର ଲୋକ ଦୀର୍ଘ ସମୟ ଖୋଜା ଖୋଜି ପରେ ପୋଖରୀ ନିକଟରେ ରଙ୍ଗାଧରଙ୍କ ଚପଲ, ଗାମୁଛା ଓ ଠେଙ୍ଗା ଥୁଆ ହୋଇଥିବାର ଦେଖି ବୁଡ଼ିଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଖବର ପାଇ ରାଜକନିକା ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ତାଙ୍କୁ ପୋଖରୀ ମଧ୍ୟ ରୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।