ଭୁବନେଶ୍ୱର : ଶ୍ରୀମନ୍ଦିର ଗର୍ଭଗୃହରେ ପୁଣି ମୂଷା ଓ ଅସରପାଙ୍କ ଉପଦ୍ରବ ବଢିଲାଣି । ମହାପ୍ରଭୁଙ୍କ ରାତ୍ର ପହୁଡ଼ ପରେ କିଟିକିଟି ଅନ୍ଧାରର ସୁଯୋଗ ନେଇ ମୂଷା ଓ ଅସରପା ଉତ୍ପାତ କରୁଛନ୍ତି । ବିପଦ ଘନେଇବା ପୂର୍ବରୁ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ସେବକ ଓ ପ୍ରଶାସନ । ଶ୍ରୀଅଙ୍ଗରେ କୌଣସି କ୍ଷତି ହେବା ପୂର୍ବରୁ ଆଗୁଆ ନିରାକରଣ ଓ ପ୍ରତିକାର କରିବାକୁ ସେବକ ଏବଂ ପ୍ରଶାସନ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଶାସ୍ତ୍ର ସମ୍ମତ ବିଧି ଅନୁଯାୟୀ ମୂଷାଙ୍କ ପାଇଁ ଯନ୍ତା ବସିବ ଓ ଅସରପାଙ୍କ ପାଇଁ ଗୁଡ ମାଠିଆ ବସିବ ।
ଛତିଶା ନିଯୋଗ ପକ୍ଷରୁ ସୂଚନା ରହିଛି ଯେ 'ମୂଷା ଓ ଅସରପା ଅନ୍ଧାରର ସୁଯୋଗ ନେଇ ମହାପ୍ରଭୁଙ୍କ ନିଦ୍ରାରେ ବାଧା ସୃଷ୍ଟି କରୁଛନ୍ତି। ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି କ୍ଷତି ହେବା ପୂର୍ବରୁ ଏହାର ନିରାକରଣ ଏବଂ ପ୍ରତିକାର ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ମହାପ୍ରଭୁ ନିଦ୍ରା ଯିବା ସମୟରେ ଜୟ ବିଜୟ ଦ୍ବାରଠାରୁ ଗର୍ଭଗୃହ ଅନ୍ଧାର ରହିବାର ପରମ୍ପରା ରହିଛି। ଏହାର ସୁଯୋଗ ନେଇ ମୂଷା ଓ ଅସରପାଙ୍କ ଉପଦ୍ରବ ବଢୁଛି। ବିଭିନ୍ନ ସମୟରେ ମହାପ୍ରଭୁଙ୍କ କନକମୁଣ୍ଡି ଚାନ୍ଦୁଆରେ ମୂଷା ଓ ଅସରପା ଘର କରି ରହୁଛନ୍ତି। ଏଣୁ ଖୁବଶୀଘ୍ର ଏହାର ନିରାକରଣ ଏବଂ ପ୍ରତିକାର ଉପରେ ନିଷ୍ପତ୍ତି ନିଆଯିବ ।
ତେବେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ ମୂଷା ଉପଦ୍ରବ ପ୍ରତିକାର ପାଇଁ ଏଏସଆଇ ସହିତ ଆଲୋଚନା ହୋଇଛି। ଶ୍ରୀମନ୍ଦିରରେ ଥିବା ପାରମ୍ପରିକ ବିଧି ଓ ନିୟମ ଅନୁସାରେ ପ୍ରତିକାର ବ୍ୟବସ୍ଥା କରାଯିବ।