ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଚତୁର୍ଥ ବର୍ଷରେ ପ୍ରବେଶ କରିସାରିଛି ଏବଂ ଲଗାତାର ଅଧିକ ଭୟାବହ ରୂପ ନେଉଛି। ଉଭୟ ଦେଶ ପରସ୍ପର ଉପରେ ଘନ ଘନ ଆକ୍ରମଣ ଚଳାଇଛନ୍ତି। ଏଥର ରୁଷ ୟୁକ୍ରେନର କିଭ ପ୍ରାନ୍ତ ବୁଚା ଜିଲ୍ଲାରେ ଥିବା ଏକ ଓ୍ୱେୟାରହାଉସକୁ ଟାର୍ଗେଟ କରିଛି। ଅଲ ଜଜିରା ରିପୋର୍ଟ ଅନୁଯାୟୀ, ଓ୍ୱେୟାରହାଉସ ଉପରେ ରୁଷର ଏହି ଆକ୍ରମଣରେ ଅତିକମରେ ୩୭ ଜଣଙ୍କର ମୃତ୍ୟୁ ଘଟିଛି। ରାତିସାରା ହୋଇଥିବା ଏହି ଆକ୍ରମଣରେ ଏହି ଧନଜୀବନ ହାନି ହୋଇଥିବା ନେଇ ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି।
ରିପୋର୍ଟ ଅନୁସାରେ, କିଭ୍ ଅଞ୍ଚଳର ଗଭର୍ଣ୍ଣର ତିମୁର ତକାଚେଙ୍କୋ ଶନିବାର ଟେଲିଗ୍ରାମରେ କହିଛନ୍ତି, "ଦୁର୍ଭାଗ୍ୟବଶତଃ, ବୁଚା ଜିଲ୍ଲାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୭ରେ ପହଞ୍ଚିଛି। ଉଦ୍ଧାରକାରୀ ଟିମ ଏବଂ ସମସ୍ତ ସମ୍ପୃକ୍ତ ବିଭାଗ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।" ତକାଚେଙ୍କୋ ଜଣାଇଛନ୍ତି ଯେ ମୃତକଙ୍କ ମଧ୍ୟରେ ଦମିତ୍ରିଭସ୍କା ଗ୍ରାମର ମେୟର ତାରାସ ଡିଡିଚ ମଧ୍ୟ ସାମିଲ ଅଛନ୍ତି। କିଭର ପଶ୍ଚିମ ଉପକଣ୍ଠ ନିକଟସ୍ଥ ମାଇଲା ସହରରେ ଥିବା ଏକ ଗୋଦାମ ଉପରେ ରୁଷୀୟ ଡ୍ରୋନ୍ ଆକ୍ରମଣ ହୋଇଥିଲା, ଯେଉଁଠାରେ ବିପୁଳ ପରିମାଣର ଗୋଳାବାରୁଦ ରଖାଯାଇଥିଲା। ଏହି ଆକ୍ରମଣ ଯୋଗୁଁ ସେଠାରେ ଭୟଙ୍କର ବିସ୍ଫୋରଣ ଘଟିଥିଲା।
୫୦ଟି ଆବାସିକ ଗୃହ କ୍ଷତିଗ୍ରସ୍ତ, ବ୍ୟାପକ ଅଗ୍ନିକାଣ୍ଡ:
ସ୍ଥାନୀୟ ଆଞ୍ଚଳିକ ସାମରିକ ପ୍ରଶାସନର ପ୍ରମୁଖ ତିମୁର ତକାଚେଙ୍କୋ କହିଛନ୍ତି ଯେ ଆକ୍ରମଣରେ ଅତିକମରେ ୫୦ଟି ଆବାସିକ ଗୃହ କ୍ଷତିଗ୍ରସ୍ତ ହୋଇଛି ଏବଂ ବ୍ୟାପକ ଅଗ୍ନିକାଣ୍ଡ ଘଟି ତାହା ନିକଟସ୍ଥ ଘର ଓ ଏକ ରେଷ୍ଟୁରାଣ୍ଟକୁ ବ୍ୟାପିଯାଇଥିଲା। ଅଲ୍ ଜଜିରା ରିପୋର୍ଟ ଅନୁଯାୟୀ, ଓ୍ୱେୟାରହାଉସରେ "ବିସ୍ଫୋରକ ସାମଗ୍ରୀ" ରଖାଯାଇଥିଲା। ତିମୁର ତକାଚେଙ୍କୋ କହିଛନ୍ତି ଯେ ସେମାନେ ଆପରାଧିକ ଅବହେଳା ମାମଲାର ତଦନ୍ତ ଆରମ୍ଭ କରୁଛନ୍ତି। ଅଭିଯୋଗକାରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ ସେମାନଙ୍କ ତଦନ୍ତ "କମ୍ପାନୀ ପରିସରରେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିବାର ବୈଧତା" ଉପରେ କେନ୍ଦ୍ରୀଭୂତ ହେବ, ସାଙ୍ଗକୁ ଦାୟିତ୍ୱରେ ଥିବା କମ୍ପାନୀ ନିକଟରେ "ଆବଶ୍ୟକ ଅନୁମତି ଓ ମଞ୍ଜୁରୀ" ଥିଲା କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ।
ଜନବସତି ନିକଟରେ ଗୋଳାବାରୁଦ ରଖିବା ବେଆଇନ୍:
ଅନ୍ୟପଟେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ମାଇଲା ଗ୍ରାମସ୍ଥିତ ଏକ ଓ୍ୱେୟାରହାଉସ ଉପରେ ଆକ୍ରମଣ ହୋଇଛି ଏବଂ "ତା'ପରେ ଭୟଙ୍କର ବିସ୍ଫୋରଣ ଘଟିଛି"। ସେ ଘଟଣାସ୍ଥଳ ବିଷୟରେ ବିସ୍ତୃତ ତଥ୍ୟ ଦେଇନଥିଲେ ବି ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ଜେଲେନସ୍କି କହିଛନ୍ତି, "ନିୟମ ସ୍ପଷ୍ଟ ରହିଛି – ଘର କିମ୍ବା ଅନ୍ୟାନ୍ୟ ଜନବସତି ନିକଟରେ ଗୋଳାବାରୁଦ ରଖାଯାଇପାରିବ ନାହିଁ।"
୪୨ ଜଣ ଆହତ, ୩୮୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର:
ଟେଲିଗ୍ରାମ୍ ମେସେଜିଂ ଆପରେ ଲେଖି କିଭ ଗଭର୍ଣ୍ଣର କହିଛନ୍ତି ଯେ ୪୨ ଜଣ ଆହତ ହୋଇଛନ୍ତି ଏବଂ ବୁଚା ଜିଲ୍ଲାର ଆକ୍ରମଣସ୍ଥଳରୁ ୩୮୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ପ୍ରଧାନମନ୍ତ୍ରୀ ସର୍ଗି କୋରେଟସ୍କି ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଗତ ଜୁଲାଇ ମାସରେ କିଭ୍ ନିକଟସ୍ଥ ବିଶନେଭେଠାରେ ଗୋଳାବାରୁଦ ଡିପୋ ଉପରେ ହୋଇଥିବା ପ୍ରାଣଘାତୀ ଆକ୍ରମଣରୁ କୌଣସି "ଶିକ୍ଷା" ଲାଭ କରାଗଲାନାହିଁ। ସେତେବେଳର ତଦନ୍ତରୁ ସରକାରୀ କମ୍ପାନୀର ଗୁରୁତର ତ୍ରୁଟି ସାମ୍ନାକୁ ଆସିଥିଲା, ଯେଉଁଥିରେ କମ୍ପାନୀ ଜନବସତିଠାରୁ ଦୂରରେ ଗୋଳାବାରୁଦ ରଖିବା ନିୟମର ପାଳନ କରିନଥିଲା।