ରାଉରକେଲା: ରାଉରକେଲା ରାଜନୀତିରେ ଏକ ବଡ଼ ହଲଚଲ ସୃଷ୍ଟି ହୋଇଛି । ରାଉରକେଲାର ଯୁବ ନେତା ପ୍ରକାଶ ପାଶୱାନଙ୍କ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଟାଣି ହୋଇଆସିଛନ୍ତି । ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ଜୁଏଲ ଓରାମ । ବିଗତ କିଛି ଦିନର ଚର୍ଚ୍ଚା ଆଲୋଚନା ପରେ ନିଜର ନିରବତା ଭଙ୍ଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ସବୁ ବେଳେ ଶାନ୍ତ ସ୍ୱଭାବର ଭାବମୂର୍ତ୍ତିରେ ରହୁଥିବା ଜୁଏଲ ଓରାମ ରଣ ହୁଙ୍କାର ଦେଇଛନ୍ତି । ଜୁଏଲ ଖୋଲାଖୋଲି ଭାବେ କହିଛନ୍ତି ଯେ ଯିଏ ତାଙ୍କ ସମ୍ମାନରେ ହାତ ଲଗାଇବାକୁ ଚେଷ୍ଟା କରିବେ ତାଙ୍କ ହାତକୁ କାଟିକି ଫିଙ୍ଗି ଦେବାର ତାକତ ରଖିଛନ୍ତି । ଆଉ ଯେଉଁମାନେ ତାଙ୍କୁ ଅପଦସ୍ତ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଜାଳି ସଫା କରିଦେବେ ବୋଲି ଧମକ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଓରାମ ।
ଜୁଏଲ ଗଣମାଧ୍ୟମରେ କହିଛନ୍ତି ଯେ ରାଉରକେଲାରେ ଗତ କିଛି ଦିନ ହେବ ଟଙ୍କା ଖର୍ଚ୍ଚ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି । ଯେଉଁମାନେ ଏହା ପଛରେ ରହିଛନ୍ତି ସେମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । ଜୁଏଲ କହିଛନ୍ତି ଯେ କିଛି ଲୋକ ପଇସା ପତ୍ର ଖର୍ଚ୍ଚ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ନାଁରେ ଅପପ୍ରଚାର କରି କେନ୍ଦ୍ର ମନ୍ତ୍ରୀ ପଦରୁ ହଟାଇ ନିଜେ ମନ୍ତ୍ରୀ ପଦରେ ସ୍ଥାନ ପାଇବାକୁ ଚାହୁଁଛନ୍ତି ।
ବିଜେପି ଦଳ ସହିତ ତାଙ୍କର ଥିବା ଆଜୀବନର ସମ୍ପର୍କକୁ ଜୁଏଲ ବଖାଣିଛନ୍ତି । ସେ ରକ୍ତ ମାଂସ ଦେଇ ଦଳ ଗଢ଼ିଛନ୍ତି । ପାର୍ଟିକୁ ସେ ଚିହ୍ନିଛନ୍ତି ଏବଂ ପାର୍ଟି ତାଙ୍କୁ ଯାହା ଦେଇଛି ତାହା ଯଥେଷ୍ଟ । ସେ ଷଡ଼ଯନ୍ତ୍ରକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ତାଙ୍କ ସମ୍ମାନକୁ କେହି ହାତ ଲଗାଇବାକୁ ଚେଷ୍ଟା କଲେ ସେଭଳି ହାତକୁ କାଟି ଫିଙ୍ଗି ଦେବାର ସାମର୍ଥ୍ୟ ତାଙ୍କର ଅଛି । ପ୍ରତ୍ୟକ୍ଷ ରାଜନୀତି ନିର୍ବାଚନ ନ ଲଢ଼ିବାକୁ ନେଇଥିବା ନିଷ୍ପତ୍ତିକୁ ସେ ବଦଳାଇଛନ୍ତି । ଆଉ କହିଛନ୍ତି ଯେ ଆଗାମୀ ଦିନରେ ସେ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଏବଂ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କୁରଥିବା ଷଡ଼ଯନ୍ତ୍ରକାରୀଙ୍କ ଅବସ୍ଥା ଖରାପ କରିବେ ।
। ଖାଲି ସେତିକି ନୁହେଁ, ଅନ୍ୟ ଦଳର ଲୋକ ବିଜେପି ଦଳରେ ମିଶି ଏଭଳି କରୁଥିବା ସେ କହିଛନ୍ତି ସେ ଏ ବାବଦରେ ଦଳ ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କୁ ଅବଗତ କରାଇଛନ୍ତି । ଆବଶ୍ୟକ ପଡ଼ିଲେ କେନ୍ଦ୍ର ନେତୃତ୍ୱଙ୍କ ଏ ବାବଦରେ କହିବେ । ତାଙ୍କୁ ଯେଉଁମାନେ ଏଭଳି ଅପଦସ୍ତ କରିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ଜାଳି କରି ଶେଷ କରିଦେବେ ବୋଲି ଜୁଏଲ କ୍ଷୋଭର ସହ କହିଛନ୍ତି ।