ଭୁବନେଶ୍ୱର: ଓଡ଼ିଶା ପୋଲିସ ପାଇଁ ଆସିଛି ଏକ ଦୁଃଖଦ ଖବର। କ୍ରାଇମବ୍ରାଞ୍ଚ CIDର ଇନ୍ସପେକ୍ଟର ଜେନେରାଲ୍ (IG) ଶଫିନ୍ ଅହମ୍ମଦ କେ.ଙ୍କ ସୋମବାର ପରଲୋକ ଘଟିଛି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ କେରଳର ଥିରୁବନନ୍ତପୁରମସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା।
କେରଳର ମୂଳ ବାସିନ୍ଦା ଶଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଜଣେ ଦକ୍ଷ IPS ଅଧିକାରୀ ଥିଲେ। ୨୦୨୩ ଜୁଲାଇରୁ ସେ ଓଡ଼ିଶା CID କ୍ରାଇମବ୍ରାଞ୍ଚର ଆଇଜି ଭାବେ ଦାୟିତ୍ୱ ସମ୍ଭାଳୁଥିଲେ। ଦୀର୍ଘ ଦୁଇ ଦଶନ୍ଧିର ସେବାକାଳ ମଧ୍ୟରେ ସେ ଝାରସୁଗୁଡ଼ା ଏସପି, ସାଉଥ୍ ୱେଷ୍ଟର୍ନ ରେଞ୍ଜ DIG, DIG ଟେକ୍ନିକାଲ୍, IGP ହୋମଗାର୍ଡସ୍ ଓ ହ୍ୟୁମାନ୍ ରାଇଟ୍ସ ପ୍ରୋଟେକ୍ସନ ସେଲ୍ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଥିଲେ।
ସାଇବର କ୍ରାଇମ ଓ ଅପରାଧ ତଦନ୍ତ କ୍ଷେତ୍ରରେ ତାଙ୍କର ଅବଦାନ ଅତ୍ୟନ୍ତ ଉଲ୍ଲେଖନୀୟ ଥିଲା। ଆଧୁନିକ ତଦନ୍ତ ପ୍ରଣାଳୀ ଓ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ସେ ଅନେକ ପଦକ୍ଷେପ ନେଇଥିଲେ। ଏହି କାର୍ଯ୍ୟ ପାଇଁ ସେ ଅନେକ ପଦକ ଓ ସମ୍ମାନରେ ସମ୍ମାନିତ ହୋଇଥିଲେ।
ଶଫିନ୍ ଅହମ୍ମଦଙ୍କ ଦେହାନ୍ତରେ ଅପରାଧ ତଦନ୍ତ ଓ ସାଇବର ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପୋଲିସ ଜଣେ ଅଭିଜ୍ଞ ଓ ଦକ୍ଷ ନେତୃତ୍ୱକୁ ହରାଇଛି। ତାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶା ପୋଲିସ ପ୍ରତି ତାଙ୍କର ନିଷ୍ଠାପୂର୍ଣ୍ଣ ସେବା ସଦା ସ୍ମରଣୀୟ ରହିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ପୋଲିସ ଅଧିକାରୀ ଏବଂ ଓଡ଼ିଶା IPS ଆସୋସିଏସନ୍ ମଧ୍ୟ ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।