ଢେଙ୍କାନାଳ: ରାସନ ଚାଉଳ ପାଇଁ ଆଉ ଦୋକାନ ସମୟକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଢେଙ୍କାନାଳରେ ଆରମ୍ଭ ହୋଇଛି ରାଜ୍ୟର ଅତ୍ୟାଧୁନିକ ‘ଚାଉଳ ATM’, ଯେଉଁଠାରୁ ହିତାଧିକାରୀମାନେ ଦିନର ୨୪ ଘଣ୍ଟା ନିଜ ଅଧିକାରର ଚାଉଳ ଉଠାଇପାରିବେ। ଏହାକୁ ଉଦ୍ଘାଟନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଢେଙ୍କାନାଳ ହେଉଛି ରାଜ୍ୟର ତୃତୀୟ ସ୍ଥାନ, ଯେଉଁଠାରେ ଏହି ଡିଜିଟାଲ୍ ରାସନ ବିତରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ସରକାରଙ୍କ ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ଅଧିକ ସ୍ୱଚ୍ଛ, ସହଜ ଓ ସମୟୋପଯୋଗୀ ସେବା ଯୋଗାଇବା।
ଏହି ଚାଉଳ ATMରେ ହିତାଧିକାରୀମାନେ ନିଜ ରାସନ କାର୍ଡ ନମ୍ବର ଓ ଫିଙ୍ଗରପ୍ରିଣ୍ଟ ପ୍ରମାଣୀକରଣ ମାଧ୍ୟମରେ ଚାଉଳ ଉଠାଇପାରିବେ। ମେସିନ୍ଟି ସ୍ୱୟଂଚାଳିତ ଭାବେ ହକ୍ଦାରଙ୍କ ନାମ ଓ ପରିମାଣ ଯାଞ୍ଚ କରି ନିର୍ଦ୍ଧାରିତ ଚାଉଳ ବିତରଣ କରିବ। ଏଥିରେ ଦୁର୍ନୀତି ଓ ଅନିୟମିତତା କମିବା ସହ ହିତାଧିକାରୀମାନେ ଯେକୌଣସି ସମୟରେ ସେବା ପାଇପାରିବେ।
ଉଦ୍ଘାଟନ ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସରକାର ସାର୍ବଜନୀନ ବିତରଣ ବ୍ୟବସ୍ଥା (PDS)କୁ ଆହୁରି ଆଧୁନିକ କରିବା ଦିଗରେ କାମ କରୁଛନ୍ତି। ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଚାଉଳ ATM ସ୍ଥାପନ କରାଯିବ, ଯାହା ଖାଦ୍ୟ ସୁରକ୍ଷା ଯୋଜନାକୁ ନୂଆ ମାତ୍ରା ଦେବ।ଏହି ଅଭିନବ ପଦକ୍ଷେପକୁ ଢେଙ୍କାନାଳବାସୀ ସ୍ୱାଗତ କରିଥିବା ବେଳେ, ଏହା ରାଜ୍ୟର ଡିଜିଟାଲ୍ ଗଭର୍ନାନ୍ସ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।