ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଓଡ଼ିଶା ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।
ଏହାପୂର୍ବରୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ପରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ପରେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିବା ବେଳେ କୋର୍ଟ ନିର୍ଦ୍ଧାରିତ ସମସ୍ତ ସର୍ତ୍ତ ପାଳନ କରିବାକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୫ ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୧୦ଟା ବେଳେ ନିଜ ଘରକୁ ଫେରୁଥିବା ସମୟରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ବାସଭବନ ନିକଟରେ ଗୁଳି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ MKCG ମେଡିକାଲ୍ କଲେଜ୍କୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତଦନ୍ତ ସମୟରେ ବ୍ରହ୍ମପୁର ପୋଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ପିଣ୍ଟୁ ଦାସଙ୍କୁ ହତ୍ୟା ଷଡଯନ୍ତ୍ରର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ରାଜନୈତିକ, ବ୍ୟକ୍ତିଗତ ଓ ଆର୍ଥିକ ବିବାଦ ଏହି ହତ୍ୟାର ପଛରେ ଥିବା ପୋଲିସ ଦାବି କରିଥିଲା।ଏହି ବହୁଚର୍ଚ୍ଚିତ ମାମଲାରେ ବ୍ରହ୍ମପୁର ପୋଲିସ ୩୯୬ ପୃଷ୍ଠାର ଫାଇନାଲ୍ ଚାର୍ଜସିଟ୍ ଦାଖଲ କରିସାରିଛି। ତେବେ ମାମଲାର ବିଚାର ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି।