ଭୁବନେଶ୍ୱର: ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ସେପ୍ଟେମ୍ବର ୪, ୨୦୨୬ ଠାରୁ ଷ୍ଟାର ଏୟାର (Star Air) ଭୁବନେଶ୍ୱର–ହାଇଦ୍ରାବାଦ ମଧ୍ୟରେ ସିଧା ବିମାନ ସେବା ଆରମ୍ଭ କରିବ। ଏହାସହ ଦୀର୍ଘ ବିରତି ପରେ ଭୁବନେଶ୍ୱର–ଝାରସୁଗୁଡ଼ା ରୁଟ୍ର ବିମାନ ସେବା ମଧ୍ୟ ପୁନଃ ଚାଲୁ ହେବ। ନୂଆ ବ୍ୟବସ୍ଥାରେ ଓଡ଼ିଶା ପାଇଁ ସପ୍ତାହକୁ ମୋଟ ୨୪ଟି ଅତିରିକ୍ତ ବିମାନ ଚଳାଚଳ କରିବ।
ଏପର୍ଯ୍ୟନ୍ତ ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବାକୁ ଅନେକ ଯାତ୍ରୀଙ୍କୁ କନେକ୍ଟିଂ ଫ୍ଲାଇଟ୍ ଧରିବାକୁ ପଡ଼ୁଥିଲା। ଏବେ ସିଧା ବିମାନ ସେବା ଆରମ୍ଭ ହେବାରୁ IT ପେଶାଜୀବୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ପାଇଁ ଯାତ୍ରା ଅଧିକ ସହଜ ଓ ସମୟ ସଞ୍ଚୟକାରୀ ହେବ।
ଷ୍ଟାର ଏୟାରର ମୁଖ୍ୟ ବାଣିଜ୍ୟିକ ଓ ବିପଣନ ଅଧିକାରୀ ଶିଳ୍ପା ଭାଟିଆ କହିଛନ୍ତି, ଏହି ନୂଆ ଓ ପୁନଃ ଆରମ୍ଭ ହୋଇଥିବା ସେବା ତେଲେଙ୍ଗାନା ଓ ଓଡ଼ିଶା ମଧ୍ୟରେ ବ୍ୟବସାୟ, ଶିକ୍ଷା, ପରିବାରିକ ଓ ପର୍ଯ୍ୟଟନ ଯାତାୟାତକୁ ଆହୁରି ସୁଦୃଢ଼ କରିବ।
ଅନ୍ୟପଟେ, ପଶ୍ଚିମ ଓଡ଼ିଶାର ଶିଳ୍ପ କେନ୍ଦ୍ର ଝାରସୁଗୁଡ଼ା ସହ ଭୁବନେଶ୍ୱରର ସିଧା ଆକାଶପଥ ପୁନରୁଦ୍ଧାର ହେବାରୁ ଶିଳ୍ପ, ସ୍ୱାସ୍ଥ୍ୟ, ସରକାରୀ କାର୍ଯ୍ୟ ଓ ଶିକ୍ଷା କ୍ଷେତ୍ରର ଯାତ୍ରୀମାନେ ବେଶ୍ ଉପକୃତ ହେବେ।
ଷ୍ଟାର ଏୟାର ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୪ରୁ ସେବା ଆରମ୍ଭ ହେବାକୁ ଥିବାରୁ ଟିକେଟ୍ ବୁକିଂ ଆରମ୍ଭ ହୋଇସାରିଛି। ଯାତ୍ରୀମାନେ ଆଗୁଆ ବୁକିଂ କରି ନିଜ ପସନ୍ଦର ତାରିଖ ସୁନିଶ୍ଚିତ କରିପାରିବେ।