ଭୁବନେଶ୍ୱର: ରାଜ୍ୟର ଗରୀବ ଓ ଭୂମିହୀନ ପରିବାରଗୁଡ଼ିକୁ ମାଗଣାରେ ଜମି ଯୋଗାଇଦେବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ‘ବସୁନ୍ଧରା ଯୋଜନା’ର କାର୍ଯ୍ୟାନ୍ୱୟନକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ରାଜ୍ୟର ପ୍ରତିଟି ଘରବାରିହୀନ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ସମ୍ମାନଜନକ ଜୀବନଯାପନର ସୁଯୋଗ ଦେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଯୋଜନାର ସଫଳ ରୂପାୟନ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
ବିଭାଗୀୟ ତଥ୍ୟ ଅନୁଯାୟୀ, ୨୦୨୪ ମସିହାର ପ୍ରାରମ୍ଭିକ ସର୍ଭେରେ ମୋଟ ୪୨,୯୧୫ ଜଣ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ତଦନ୍ତ ପରେ ୩୩,୦୮୨ ଜଣ ଯୋଗ୍ୟ ବିବେଚିତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୦,୬୫୩ ଜଣଙ୍କୁ ଜମି ଆବଣ୍ଟନ କରାଯାଇସାରିଛି।
ସେହିପରି, ୨୦୨୫ ମସିହାର ପ୍ରାରମ୍ଭିକ ସର୍ଭେରେ ୫୮,୬୨୦ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ତଦନ୍ତ ପରେ ୧୧,୮୨୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩,୫୯୮ ଜଣଙ୍କୁ ଜମି ପ୍ରଦାନ କରାଯାଇଛି ଏବଂ ବକେୟା ୮,୨୨୯ ଜଣଙ୍କୁ ଜମି ପ୍ରଦାନ ପାଇଁ ପ୍ରକ୍ରିୟା ଚାଲୁରହିଛି।
ବିଗତ ଦୁଇ ବର୍ଷରେ ମୋଟ ୧,୦୧,୫୩୫ ଘରବାରିହୀନ ବ୍ୟକ୍ତି ଗଣନା ହୋଇଥିବାବେଳେ ୪୪,୯୦୯ ଜଣ ଯୋଗ୍ୟ ବାସହୀନ ବ୍ୟକ୍ତି ଭାବେ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଅଦ୍ୟାବଧି ୩୪,୨୫୧ ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ ହୋଇଥିବାବେଳେ ବକେୟା ୧୦,୬୫୮ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜମି ଆବଣ୍ଟନ କରାଯିବ।
ଜମି ଆବଣ୍ଟନରେ ଥିବା ବିଭିନ୍ନ ସମସ୍ୟା ଓ ଜିଲ୍ଲାସ୍ତରୀୟ ଅସୁବିଧାକୁ ଦୂର କରିବାକୁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଯୋଗ୍ୟତା ପାଇଁ ବାର୍ଷିକ ପରିବାର ଆୟ ସୀମା ୧ ଲକ୍ଷ ଟଙ୍କା ରହିଥିବାବେଳେ, ଏହାର ପୁନଃନିର୍ଦ୍ଧାରଣ କରାଯିବା ନେଇ ମଧ୍ୟ ସରକାରୀ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବିଚାରବିମର୍ଷ ଚାଲିଛି।
ନିଜର ଏକ ଖଣ୍ଡେ ଜମି ଓ ଘର ନିର୍ମାଣ କରିବାର ସ୍ୱପ୍ନ ଦେଖୁଥିବା ଗରୀବ ଲୋକଙ୍କ ପାଇଁ ବସୁନ୍ଧରା ଯୋଜନା ଏକ ବରଦାନ ସଦୃଶ ହୋଇଛି। ଆଗାମୀ ଦିନରେ ସମସ୍ତ ଅବଶିଷ୍ଟ ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱଚ୍ଛତା ଓ ଦ୍ରୁତ ପ୍ରକ୍ରିୟା ମାଧ୍ୟମରେ ଜମି ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।