ବ୍ରହ୍ମପୁର: ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ ଏମବିବିଏସ ଛାତ୍ର ସାଗର ସାହୁ ମୟୂରଭଞ୍ଜ ଜିଲ୍ଲା ତିରିଂରୁ ଉଦ୍ଧାର ହୋଇଛି। ଗତ ଅଗଷ୍ଟ ୩୧ ତାରିଖରୁ ସେ ନିଖୋଜ ଥିଲେ। ଏହାପରଠାରୁ ପରିବାର ଲୋକେ ଓ ମେଡିକାଲ କ୍ୟାମ୍ପସରେ ଚିନ୍ତାର କାରଣ ପାଲଟିଥିଲା। ଏନେଇ ଥାନାରେ ଏକ ନିଖୋଜ ଏତଲା ହୋଇଥିଲା। ଏତଲା ଆଧାରରେ ଗତ ୩୧ ତାରିଖରୁ ପୋଲିସ ସାଗରକୁ ଖୋଜିବା ଜାରି ରଖିଥିଲା । ଆଜି ସାଗର ବସ୍ରେ ଝାଡ଼ଖଣ୍ଡ ପଟୁ ଆସୁଥିବା ବେଳେ ପୋଲିସ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ ଛାତ୍ର ସାଗର ସାହୁ ଯାଜପୁର ଜିଲ୍ଲାର ବାସିନ୍ଦା ଅଟନ୍ତି। ସାଗର ବସ୍ରେ ଥାଇ କଣ୍ଡକ୍ଟରଙ୍କ ମୋବାଇଲ୍ରେ ଘର ଲୋକଙ୍କୁ ଫୋନ୍ କରିଥିଲେ। ଘର ଲୋକ ପୋଲିସକୁ ଏହାର ସୂଚନା ଦେବା ପରେ ପୋଲିସ ତିରିଂରୁ ସାଗରଙ୍କୁ ଉଦ୍ଧାର କରିଥିଲା। ସାଗରକୁ ନେବାକୁ କୁଆଖିଆ ପୋଲିସ ତିରିଂ ଥାନାକୁ ଗଲା । ସାଗର ଏମବିବିଏସ ପ୍ରଥମ ବର୍ଷର ଛାତ୍ର। ପ୍ରାୟ ଏକ ବର୍ଷ ହେବ ମେଡିକାଲ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଗତ ୩୧ ତାରିଖରୁ ସାଗରଙ୍କ କୌଣସି ପତ୍ତା ମିଳିନଥିଲା। ପରିବାର ଲୋକେ ବ୍ରହ୍ମପୁର ରେଳ ଷ୍ଟେସନ ସମେତ ସହରର ବିଭିନ୍ନ ସ୍ଥାନରେ ସାଗରଙ୍କୁ ଖୋଜାଖୋଜି କରୁଥିଲେ।
ତେବେ ସାଗର କେଉଁ ପରିସ୍ଥିତିରେ ନିଖୋଜ ଥିଲେ ସେ ନିଜେ କେଉଁଆଡେ ଯାଇଥିଲେ ନା କେହି ତାଙ୍କୁ ଅପହରଣ କରିଥିଲା ଏନେଇ ଏଯାବତ କୌଣସି ସୂଚନା ହସ୍ତଗତ ହୋଇନାହିଁ।