ବଲାଙ୍ଗୀର : ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହେଲା ତୃତୀୟ ଶ୍ରେଣୀ ଛାତ୍ରୀ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିକଟସ୍ଥ ନୂଆପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଘଟଣା।
ସୂଚନା ଅନୁଯାୟୀ ସ୍କୁଲର ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ନିର୍ଦ୍ଦୟ ଭାବେ ମାଡ଼ ମାରିଛନ୍ତି । ଶିକ୍ଷକଙ୍କ ମାଡ଼ ଯୋଗୁଁ ଛାତ୍ରୀଙ୍କ ନାକରେ ଗଭୀର ଆଘାତ ଲାଗିଥିଲା ଯାହାଫଳରେ ସେ ରକ୍ତାକ୍ତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାଡ ମାରିଥିବା ଶିକ୍ଷକଙ୍କ ନାମ ସଚ୍ଚିଦାନନ୍ଦ ପାତ୍ର ବୋଲି ଜଣାପଡ଼ିଛି।
ଏହି ଘଟଣା ପରେ ଉତ୍ତ୍ୟକ୍ତ ପରିବାର ଲୋକେ ନ୍ୟାୟ ଦାବି କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଶିକ୍ଷକ ସଚ୍ଚିଦାନନ୍ଦ ପାତ୍ରଙ୍କୁ ଅଟକ ରଖି ପଚରାଉଚରା ଓ ତଦନ୍ତ ଜାରି ରଖିଛି ।
ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ଶାରୀରିକ ନିର୍ଯାତନା ବା କର୍ପୋରାଲ ପନିସମେଣ୍ଟ (Corporal Punishment) ସମ୍ପୂର୍ଣ୍ଣ ନିଷେଧ ହୋଇଥିବା ବେଳେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।