ଆବୁଧାବି: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ପୁଞ୍ଜିନିବେଶ ଆଣିବା ଏବଂ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଆବୁଧାବିରେ ପହଞ୍ଚିଛନ୍ତି। ଏହି ଗସ୍ତ ସହିତ ରାଜ୍ୟ ପାଇଁ ଏକ ନୂତନ ଅର୍ଥନୈତିକ ଅଧ୍ୟାୟ ଆରମ୍ଭ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଏହି ଗସ୍ତ ଜାରି ରହିବାକୁ ଥିବାବେଳେ ସେପ୍ଟେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ।
ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଗସ୍ତରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଶିଳ୍ପ ବିଭାଗ ତଥା ଇପିକଲ୍ର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଆବୁଧାବି ବିମାନବନ୍ଦରରେ ପହଞ୍ଚିବା ପରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ୟୁଏଇସ୍ଥିତ ଭାରତୀୟ ଦୂତାବାସର ଅଧିକାରୀମାନେ ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ ଜଣାଇଥିଲେ।
ଆବୁଧାବିରେ ପହଞ୍ଚିବା କ୍ଷଣି ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ହେବାକୁ ଥିବା ବ୍ୟବସାୟିକ ଏବଂ ନିବେଶକ ସମ୍ମିଳନୀର ପ୍ରସ୍ତୁତିର ବ୍ୟାପକ ସମୀକ୍ଷା କରିଛନ୍ତି। ଏହାସହ ସେ ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟି ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ମଜଭୁତ କରିବା ନେଇ ଆଲୋଚନା କରିଛନ୍ତି। ବିଶେଷ କରି ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସୁରକ୍ଷା, ସରକାରୀ ସହାୟତା ଏବଂ ସେମାନଙ୍କ ଜୀବନଧାରଣର ମାନ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।
ଆସନ୍ତାକାଲି (ସେପ୍ଟେମ୍ବର ୯) ଓଡ଼ିଶା ପ୍ରତିନିଧି ଦଳ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC) ଓ ଏହାର ବିଭିନ୍ନ ଶାଖା, ୟୁଏଇର ନିବେଶ ମନ୍ତ୍ରୀ, ପ୍ରମୁଖ ପୁଞ୍ଜିନିବେଶକ ଏବଂ ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ (IBPG) ର ସଦସ୍ୟମାନଙ୍କ ସହ ଆଲୋଚନା କରାଯିବ। ଏହାସହ ପେଟ୍ରୋକେମିକାଲ୍ସ ଏବଂ କେମିକାଲ୍ସ ସେକ୍ଟରକୁ ନେଇ ଏକ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ରହିଛି।
ଏହି ଗସ୍ତ ସମ୍ପର୍କରେ ମତ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଓଡ଼ିଶା ଏବେ ଶିଳ୍ପ ଓ ଅର୍ଥନୀତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି। ଆମର ଲକ୍ଷ୍ୟ କେବଳ ପୁଞ୍ଜି ଆକର୍ଷଣ କରିବା ନୁହେଁ, ବରଂ ପ୍ରଯୁକ୍ତିବିଦ୍ୟା, ବିଶ୍ୱାସ ଏବଂ ନିଯୁକ୍ତି ସୃଷ୍ଟି ଆଧାରରେ ଏକ ଦୀର୍ଘକାଳୀନ ସହଭାଗିତା ଗଢ଼ିବା। ରାଜ୍ୟରେ ଶିଳ୍ପ ପ୍ରସ୍ତାବଗୁଡ଼ିକୁ ଶୀଘ୍ର ବାସ୍ତବ ରୂପ ଦେଇ ଯୁବପିଢ଼ିଙ୍କ ପାଇଁ ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି କରିବା ହିଁ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।