ଭୁବନେଶ୍ୱର: ଗଣେଶ ପୂଜା ପୂର୍ବରୁ ରାଜଧାନୀର ଏକାମ୍ର ହାଟରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ ‘ଉତ୍କଳା: ଶ୍ରୀ ଗଣେଶ’। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ।
ପ୍ରଦର୍ଶନୀରେ ୧୬ ଜିଲ୍ଲାର ୩୪ ଜଣ କାରିଗର ୩୩ଟି ଷ୍ଟଲ୍ରେ ନିଜର ଅନନ୍ୟ କଳାକୃତି ପ୍ରଦର୍ଶନ ଓ ବିକ୍ରି ପାଇଁ ଆଣିଛନ୍ତି। ପ୍ରତିଦିନ ସକାଳ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶକଙ୍କ ପାଇଁ ଏହା ଖୋଲା ରହିବ।
ସହଯୋଗ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ। ମାଟି, କାଠ, ପଥର, ଟେରାକୋଟା, ପିତ୍ତଳ, କଂସା, ନଡ଼ିଆ କତା, ଧାନ ଶିଷ, ତାଳପତ୍ର ଖୋଦେଇ ଓ ପଟ୍ଟଚିତ୍ରରେ ନିର୍ମିତ ବିଭିନ୍ନ ଗଣେଶ ମୂର୍ତ୍ତି ଓ କଳାକୃତି ଏହି ମେଳାର ମୁଖ୍ୟ ଆକର୍ଷଣ ସାଜିଛି।
ସରକାରଙ୍କ ‘ଉତ୍କଳା’ ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ କାରିଗରଙ୍କୁ ସିଧାସଳଖ ବଜାର ସହ ଯୋଡ଼ିବା, ସେମାନଙ୍କ ଆୟ ବଢ଼ାଇବା ଏବଂ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।