ସମ୍ବଲପୁର: ଅବସରପ୍ରାପ୍ତ କର୍ମଚାରୀଙ୍କ ଦେୟ ନାଁରେ ଫେକ୍ ବିଲ୍ କରି ସରକାରୀ କୋଷାଗାରରୁ ₹୧.୧୫ କୋଟି ଆତ୍ମସାତ୍ କରିଥିବା ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ଜଣେ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ମୀର୍ ଇମତିୟାଜ ଅଲି, ଯିଏ ଫାସିମାଲ ଓ ଗୋବିନ୍ଦପୁର କମ୍ୟୁନିଟି ହେଲ୍ଥ ସେଣ୍ଟର (CHC)ରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ।
ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୧-୨୨ରୁ ୨୦୨୬-୨୭ ମଧ୍ୟରେ ସେ ଅନଲାଇନ୍ ଓ ଅଫଲାଇନ୍ରେ ଜାଲ୍ ବିଲ୍ ପ୍ରସ୍ତୁତ କରି ଆରିୟର ଦରମା, ଅବ୍ୟବହୃତ ଛୁଟି ଏନ୍କ୍ୟାସମେଣ୍ଟ ଓ ପ୍ରୋଭିଜନାଲ ପେନ୍ସନ୍ ନାଁରେ ସରକାରୀ ଅର୍ଥ ନିଜ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରୁଥିଲେ।
ତଦନ୍ତରେ ଫାସିମାଲ CHCରୁ ₹୭୦.୫୭ ଲକ୍ଷ ଓ ଗୋବିନ୍ଦପୁର CHCରୁ ₹୪୪.୫୭ ଲକ୍ଷ ଆତ୍ମସାତ୍ ହୋଇଥିବା ପ୍ରମାଣ ମିଳିଛି। ମୋଟ ₹୧,୧୫,୧୪,୫୩୯ ଟଙ୍କା ସରକାରୀ କୋଷାଗାରରୁ ହଡ଼ପ ହୋଇଥିବା ଭିଜିଲାନ୍ସ କହିଛି।
ଏହି ଘଟଣାରେ ଭିଜିଲାନ୍ସ ଦୁଇଟି ପୃଥକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କୁ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ। ଅର୍ଥ କାରବାରର ଅନ୍ୟ ଦିଗକୁ ନେଇ ତଦନ୍ତ ଜାରି ରହିଛି।