ଭୁବନେଶ୍ୱର : ଓଡ଼ିଶାରେ ଚଳିତ ଖରିଫ୍ ଋତୁ (୨୦୨୬-୨୭) ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କ୍ଷେତ୍ରରେ ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି । ଚଳିତ ବର୍ଷ ରାଜ୍ୟରେ ୨୨ ଲକ୍ଷ ୨୮ ହଜାର ଚାଷୀ ଧାନ ବିକ୍ରି କରିବା ନିମନ୍ତେ ସଫଳତାର ସହ ନାମ ପଞ୍ଜୀକରଣ କରିଛନ୍ତି।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତବର୍ଷ ଏହି ପଞ୍ଜୀକରଣ ସଂଖ୍ୟା ୧୯ ଲକ୍ଷ ୬୭ ହଜାର ଥିବା ବେଳେ ଚଳିତବର୍ଷ ଏଥିରେ ବିପୁଳ ବୃଦ୍ଧି ଘଟିଛି। ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପଞ୍ଜୀକୃତ ହୋଇଥିବା ସମସ୍ତ ଯୋଗ୍ୟ ଚାଷୀଙ୍କ ଠାରୁ ସରକାର ସମ୍ପୂର୍ଣ୍ଣ ଧାନ କିଣିବେ ଏବଂ ଏଥିପାଇଁ ମଣ୍ଡି ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଉଛି।
ସୂଚନା ଥାଉକି ସେପ୍ଟେମ୍ବର ୭, ୨୦୨୬ ରାତି ୧ଟା ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଥିଲା।ବନ୍ୟା ଏବଂ ସର୍ଭର ସମସ୍ୟା ଯୋଗୁଁ ପୂର୍ବରୁ ସରକାର ଅଗଷ୍ଟ ୩୧ ଥିବା ସମୟସୀମାକୁ ଆଉ ୭ ଦିନ ବୃଦ୍ଧି କରିଥିଲେ। ଏହି ରେକର୍ଡ ସଂଖ୍ୟକ ପଞ୍ଜୀକରଣ ରାଜ୍ୟର ଚାଷୀମାନଙ୍କର ସରକାରୀ ଧାନ ସଂଗ୍ରହ ବ୍ୟବସ୍ଥା ଉପରେ ଥିବା ବିଶ୍ୱାସକୁ ସୂଚାଉଛି ।